ମୁମ୍ବାଇ: ସାଧାରଣ ଲୋକ ବଢ଼ିଚାଲିଥିବା ଦରଦାମ୍ରୁ କିଛି ମାତ୍ରାରେ ଆରାମ ପାଇଛନ୍ତି । ଅକ୍ଟୋବରର ଉଚ୍ଚ ଦରରେ ବିକ୍ରି ହେଉଥିବା ହରଡ଼ ଡାଲିର ଦାମ୍ ୧୫ ରୁ ୨୦% ହ୍ରାସ ପାଇଛି । ମସୁର ଡାଲି ଓ ଚଣା ସମେତ ଅନ୍ୟାନ୍ୟ ଡାଲି ଉପରେ ସରକାର ଦ୍ୱାରା ଗ୍ରହଣ କରିଥିବା ପଦକ୍ଷେପ ପରେ ଏହି ଦରରେ ହ୍ରାସ ହୋଇଛି । ସରକାର ୧୫ ନଭେମ୍ବରରୁ ୩୧ ଡିସେମ୍ବର ମଧ୍ୟରେ ହରଡ଼ ଆମଦାନୀ ପାଇଁ ଅବଧି ବୃଦ୍ଧି କରିବାକୁ ଘୋଷଣା କରିବା ପରେ ଉଚ୍ଚମାନର ହରଡ଼ ଡାଲିର ଦାମ୍ ହ୍ରାସ ହୋଇଛି । ଡାଲିର ଏକ୍ସ-ମିଲ୍ ଦାମ୍ କିଲୋଗ୍ରାମ ପିଛା ୧୨୦ ଟଙ୍କାରୁ ରୁ ଖସି ୧୦୦ ଟଙ୍କା ହୋଇଯାଇଛି । ସାର୍ବଜନୀନ ବିତରଣ ବ୍ୟବସ୍ଥା ମାଧ୍ୟମରେ ସରକାର ରାଜ୍ୟଗୁଡିକୁ ହରଡ଼ ବିକ୍ରି କରିବା ଆରମ୍ଭ କରିଛନ୍ତି ।
ଗତ ମାସରେ ସରକାର ହରଡ ଡାଲି ଆମଦାନୀ ଅବଧି ଓ ମସୁର ଡାଲି ଉପରେ ଆମଦାନୀ ଶୁଳ୍କ ଡିସେମ୍ବର ୩୧ ତାରିଖ ଯାଏଁ ବଢ଼ାଇ ଦେଇଛନ୍ତି । ହରଡ଼ ଡାଲି ମିଲରେ କିଲୋ ପ୍ରତି ୧୨୦ ଟଙ୍କା ଥିବାବେଳେ ଖୁଚୁରା ବଜାରରେ କିଲୋ ପ୍ରତି ୧୫୦ ଟଙ୍କାରେ ପହଞ୍ଚି ଯାଇଥିଲା ।
କେନ୍ଦ୍ର ସରକାର ନିକଟରେ ମୋଜାମ୍ବିକ ସହ ପୁଣି ୫ ବର୍ଷ ପାଇଁ ହରଡ ଡାଲି ଆମଦାନୀ ପାଇଁ ଦ୍ୱିପାକ୍ଷିକ ବୁଝାମଣା ନବୀକରଣ କରିଥିଲେ । ଯେଉଁଥିରେ ଭାରତ ପ୍ରତିବର୍ଷ ୨ ଲକ୍ଷ ଟନ୍ ଡାଲି ଆମଦାନୀ କରିପାରିବ । ମହାରାଷ୍ଟ୍ର ସରକାରଙ୍କ ଡାଲି ପ୍ରଫେସର ନିତିନ କଲାନ୍ତ୍ରୀ କହିଛନ୍ତି ଯେ ସରକାରଙ୍କ ଦ୍ୱାରା ଘୋଷିତ ବିଭିନ୍ନ ଉପାୟ ବଜାର ଭାବନା ବଦଳାଇ ଦେଇଥିଲା ଯାହାଫଳରେ ବଜାରରେ ଡାଲି ଚାହିଦା ହ୍ରାସ ପାଇଥିଲା । ଏହାଦ୍ୱାରା ଦାମ ନିୟନ୍ତ୍ରଣ କରିବାରେ ସାହାଯ୍ୟ ମିଳିଲା ।
୩୧ ଡିସେମ୍ବର ପର୍ଯ୍ୟନ୍ତ ୪ ଲକ୍ଷ ଟନ୍ ହରଡ଼ ଡାଲି ଆମଦାନୀ ପାଇଁ ଅନୁମତି ମିଳିଛି । ମୋଜାମ୍ବିକରୁ ୨ ଲକ୍ଷ ଟନ୍ ଛଡା ଦେଶରେ ପାଖାପାଖି ୩.୨୫ ଲକ୍ଷ ଟନ୍ ପହଞ୍ଚିବା ନେଇ ଆଶା କରାଯାଉଛି । ଏହା ମଧ୍ୟରେ ଚଣା ଡାଲି ଦାମ୍ ମଧ୍ୟ ସ୍ଥିର ରହିଛି । ମୁଖ୍ୟତଃ ଦୀପାବଳି ପାଇଁ ଚାହିଦା ଓ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ବିସ୍ତାର କାରଣରୁ ଚଣା ଡାଲି ଦାମ ବୃଦ୍ଧି ପାଇଥିଲା । ଚଳିତ ମାସରେ ସରକାର ମଶୁରି ଡାଲି ଉପରେ ଲଗାଯାଇଥିବା ୧୦ ପ୍ରତିଶତ କମ ଆମଦାନୀ ଶୁଳ୍କକୁ ମଧ୍ୟ ଡିସେମ୍ବର ୩୧ ତାରିଖ ଯାଏଁ ବଢ଼ାଇ ଦେଇଛନ୍ତି।