ଦୀର୍ଘ ୨୦ ବର୍ଷ ଧରି ପାକିସ୍ତାନର ଏକ ଜେଲରେ ରହିବା ପରେ ଏବେ ଘରକୁ ଫେରୁଛନ୍ତି ଜଣେ ଓଡ଼ିଆ । ସେ ହେଉଛନ୍ତି ସୁ୍ନ୍ଦରଗଡ଼ ଜିଲ୍ଲାର କୁତ୍ରା ବ୍ଲକ୍ ଅନ୍ତର୍ଗତ ଜାଙ୍ଗରଟୋଲି ଗାଁର ବିରଜୁ କୁଲୁ ।
ବିରଜୁଙ୍କ ଘରକୁ ଫେରିବାର ଅଛି ବୋଲି ଖବର ମିଳିବା ପରେ ତାଙ୍କ ପରିବାର ଓ ଗାଁ ଲୋକେ ଖୁସିଭରା ଆଶ୍ଚର୍ଯ୍ୟରେ ଅଧୀର ହୋଇପଡ଼ିଛନ୍ତି ।
ପରିବାର ଲୋକେ ଓ ଗାଁର ବୟସ୍କମାନେ ମୋବାଇଲ୍ ଫୋନରେ ବିରଜୁ କୁଲୁଙ୍କ ଫଟୋ ଦେଖୁଛନ୍ତି ଓ ତାଙ୍କୁ ଚିହ୍ନିପାରି ଖୁସି ହେଉଛନ୍ତି ।
ପାକିସ୍ତାନ ସେନା ତାଙ୍କୁ ଧରି ପକାଇ ଲାହୋର୍ ଜେଲକୁ ପଠାଇ ଦେଇଥିଲା । ତା’ ପରେ ପାକିସ୍ତାନ ସରକାର ଅମାନବୀୟ ଆଚରଣ ପୂର୍ବକ ତାଙ୍କୁ ୨୦ ବର୍ଷ କାଳ ଜେଲରେ ରଖିଥିଲେ ।
‘‘ଆମେ ପୂରା ପରିବାର ତାଙ୍କୁ ଖୋଜାଖୋଜି କରି ନିରାଶ ହୋଇଥିଲୁ । ସେ ଯେ ପାକିସ୍ତାନରେ ଅଛନ୍ତି ଏହା ଆମେ କେବେ ବି ଭାବି ନ ଥିଲୁ । ଏବେ ଭାରି ଖୁସି ଲାଗୁଛି,’’ କହିଛନ୍ତି ବିରଜୁଙ୍କ ଭାଇ ବିପିନ କିଶୋର କୁଲୁ ।
ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ନିର୍ଦ୍ଦେଶ କ୍ରମେ ସୁନ୍ଦରଗଡ଼ ପୋଲିସ କୁତ୍ରା ଅଞ୍ଚଳରେ ଛାନଭିନ କରି ପରିବାର ବର୍ଗଙ୍କୁ ବିରଜୁ ପାକିସ୍ତାନରୁ ଫେରୁଛନ୍ତି ବୋଲି ଖବର ଦେଇଥିଲେ ।
ଅକ୍ଟୋବର ୨୬ ତାରିଖରେ ଲାହୋରର ଜେଲରୁ ମୁକୁଳି ବିରଜୁ ଭାରତ ଫେରିଛନ୍ତି । ତାଙ୍କୁ ଏବେ ପଞ୍ଜାବର ଅମୃତସରର ନିକଟରେ ନାରାୟଣଗଞ୍ଜରେ ଏକ ସଙ୍ଗରୋଧ କେନ୍ଦ୍ରରେ ରଖାଯାଇଛି ।
ଅତି ଶୀଘ୍ର ବିରଜୁଙ୍କୁ ତାଙ୍କ ଘରକୁ ଫେରାଇ ଆଣିବାକୁ ଭାରତର ବିଦେଶ ମନ୍ତ୍ରାଳୟ ଓ ଅମ୍ରିତସର ପ୍ରଶାସନର ଅଧିକାରୀମାନଙ୍କ ସହ ସମ୍ପର୍କ କରାଯାଉଛି ବୋଲି କହିଛନ୍ତି ସୁନ୍ଦରଗଡ଼ ଏସ୍.ପି. ସାଗରିକା ନାଥ ।
ବିରଜୁଙ୍କ ଭାଣିଜୀ ସସ୍ମିତା କୁଲୁ କହିଛନ୍ତି ଯେ ସେ ଏହି ଖବର ଜାଣି ଭାରି ଖୁସି । ‘‘ମୁଁ ମୋ’ ମାମୁଁଙ୍କୁ କେବେ ଦେଖିନି । ଏବେ ସେ ଫେରିଆସିବା ମୋ’ ପାଇଁ ଏକ ବହୁତ ବଡ଼ ଖୁସିର କଥା,’’ ସେ କହିଛନ୍ତି ।