ଭଦ୍ରକର ପୁରୁଣା ବଜାର ଥାନାରେ ମୁତୟନ ଥିବା ଓଡ଼ିଶା ରାଜ୍ୟ ସଶସ୍ତ୍ର ପୋଲିସର (OSAP) ପଞ୍ଚମ ବାଟାଲିଅନର ତିନି ଯବାନ ନିଆଁ ରେ ପୋଡ଼ି ହୋଇ ଗୁରୁତର ଭାବେ ଆହତ ହୋଇଛନ୍ତି ଓ ଭଦ୍ରକ ଜିଲ୍ଲା ମୁଖ୍ୟ ହସପିଟାଲରେ ଭର୍ତ୍ତି ହୋଇଛନ୍ତି ।
ଡ୍ୟୁଟି ପରେ ଥାନା ପରିସରରେ ଏକ ଷ୍ଟୋର ରୁମ ନିକଟରେ ଥିବା ଏକ ରୁମରେ ଶୋଇବାକୁ ଯାଉଥିଲେ ଏହି ତିନି ଜଣ ଯବାନ । ଶୋଇବା ବେଳେ ମଶା ଧୂପ ଲଗାଉଥିଲେ । ହଠାତ ମଶା ଧୂପରୁ ନିଆଁ ଲାଗିଯାଇଥିଲା ।
ଆହତ ଯବାନ ମନୋରଞ୍ଜନ ଘଡ଼ାଇ ଓ ତାଙ୍କ ଅନ୍ୟ ଦୁଇ ସାଥୀଙ୍କୁ ଗୁରୁତର ଅବସ୍ଥାରେ ଭଦ୍ରକ ଜିଲ୍ଲା ମୁଖ୍ୟ ହସପିଟାଲରେ ଭର୍ତ୍ତି କରାଯାଇଥିଲା ।
ଆହତ ଯବାନ ମନୋରଞ୍ଜନ ଘଡ଼ାଇ କହିଛନ୍ତି ଯେ ଏକ ବାଲଟିରେ କିଛି ବାଲି ଥିବା ଦେଖି ସେମାନେ ସେଥିରେ ମଶା ଧୁପ କଏଲକୁ ଲଗାଇ ଶୋଇଥିଲେ । କିଛି ସମୟ ପରେ ସେଥିରୁ ନିଆଁ ବାହାରିଥିଲା ଓ ସେହି ନିଆଁ ସାରା ରୁମରେ ବ୍ୟାପିଯାଇଥିଲା । ସେହି ବାଲଟିରେ ବାଲି ତଳେ କୌଣସି ବାରୁଦ ଥିବା ସନ୍ଦେହ କରାଯାଉଛି ।
ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡଃ ସନ୍ତୋଷ କୁମାର ପାତ୍ର କହିଛନ୍ତି ଯେ ଜଣେ ଯବାନଙ୍କ ହାତ ଓ ଗୋଡ଼, ଆଉ ଜଣଙ୍କର ଦୁଇ ହାତ ଓ ତୃତୀୟ ଜଣଙ୍କର ମୁହଁରେ ବର୍ଣ୍ଣ ଇଞ୍ଜୁରୀ ହୋଇଛି । ଆହତ ଯବାନମାନଙ୍କୁ ପ୍ରାଥମିକ ଚିକିତ୍ସା ପରେ କଟକ ବଡ଼ ମେଡିକାଲକୁ ରେଫର୍ କରିଦିଆଯାଉଛି ବୋଲି ସେ କହିଛନ୍ତି ।
ଭଦ୍ରକ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ବିକାଶ ଚନ୍ଦ୍ର ଦାଶ କହିଛନ୍ତି ଯେ ଏହି ଘଟଣା ସମ୍ପର୍କରେ ଥାନାରେ ଦଫା ୪୩୫ ଓ ୩୩୬ ଅଧୀନରେ ଗୋଟେ ମାମଲା (୨୨୦/୨୦) ରୁଜୁ କରାଯାଇଛି ଓ ତଦନ୍ତ ଚାଲିଛି ।