ନୂଆ ପ୍ରଭାରୀ ଓ ସହ ପ୍ରଭାରୀଙ୍କୁ ନେଇ ଉତ୍ସାହିତ ରାଜ୍ୟ ବିଜେପି; ବିଶେଷଜ୍ଞ କହିଲେ 'ସମୟ ସାପେକ୍ଷ'
ଶୁକ୍ରବାର ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା ବିଭିନ୍ନ ରାଜ୍ୟ ପାଇଁ ନୂଆ ଅଧିକାରୀଙ୍କ ନାମ ଘୋଷଣା କ୍ରମରେ ଓଡ଼ିଶା ପାଇଁ ଏହି ଦୁଇ ଅଧିକାରୀଙ୍କ ନାମ ଘୋଷଣା କରିଛନ୍ତି । ଏମାନେ ହେଲେ ରାଜ୍ୟ ପ୍ରଭାରୀ ଶ୍ରୀମତି ଡ଼ି ପୁରନ୍ଦେଶ୍ୱରୀ ଓ ସହ ପ୍ରଭାରୀ ବିଜୟପାଲ ସିଂ ତୋମାର ।
ଓଡ଼ିଶାର ରାଜ୍ୟ ବିଜେପିର ନୂଆ ପ୍ରଭାରୀ ଶ୍ରୀମତି ଡ଼ି ପୁରନ୍ଦେଶ୍ୱରୀ ଓ ସହ ପ୍ରଭାରୀ ବିଜୟପାଲ ସିଂ ତୋମାର
- News18 Odia
- Last Updated: November 15, 2020, 8:16 PM IST
ଭୁବନେଶ୍ୱର: ଓଡ଼ିଶା ବିଜେପି ପାଇଁ ଅବସ୍ଥାପିତ ନୂଆ ପ୍ରଭାରୀ ଓ ସହ ପ୍ରଭାରୀଙ୍କୁ ନେଇ ଉତ୍ସ।ହିତ ହୋଇଛି ରାଜ୍ୟ ବିଜେପି । ଦଳ କହିଛି ଆଗକୁ ପୌର ନିର୍ବାଚନ ସହିତ ୨୦୨୨ରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନ ଓ ୨୦୨୪ ର ସାଧାରଣ ନିର୍ବାଚନ ପ୍ରସ୍ତୁତି ପାଇଁ ନୂଆ ଅଧିକାରୀଙ୍କ ନେତୃତ୍ୱରେ ଦଳ ଅଧିକ ଉତ୍ସାହିତ ହୋଇ ଲଢ଼ିବ । ତେବେ ବିରୋଧୀ ଏହା ପ୍ରଭାବହୀନ ହେବ ବୋଲି ମତ ରଖିଥିବା ବେଳେ ରାଜନୀତି ବିଶେଷଜ୍ଞଙ୍କ ମତରେ ଉଭୟ ପ୍ରଭାରୀ ଓ ସହ ପ୍ରଭାରୀଙ୍କୁ ରାଜ୍ୟରେ ବିଜେପିକୁ ସଶକ୍ତ କରିବାକୁ ବହୁ ସମୟ ଲାଗିବ ।
ରାଜ୍ୟ ବିଜେପିର ବରିଷ୍ଠ ନେତା ତଥା ଦଳର ସାଧାରଣ ସମ୍ପାଦକ ପୃଥିରାଜ ହରିଚନ୍ଦନ କହିଛନ୍ତି, "ଦଳ ପାଇଁ ରାଜ୍ୟରେ ନିଯୁକ୍ତ ନୂଆ ମାର୍ଗଦର୍ଶକଙ୍କୁ ନେଇ ସମସ୍ତେ ଉତ୍ସାହିତ । କାରଣ ଉଭୟ ନେତୃତ୍ବ ଅଭିଜ୍ଞତା ସଂପନ୍ନ ଓ ତୃଣମୂଳ ସ୍ତରରେ କାମ କରିବାରେ ସେମାନେ ଅଭ୍ୟସ୍ତ । ତେଣୁ ଏହା ନିଶ୍ଚିତ ଭାବେ ରାଜ୍ୟରେ ଦକକୁ ପ୍ରଗତିଶୀଳ କରିବ । "
ଦଳୀୟ ସୂଚନା ଅନୁସାରେ ୨୦୧୨ ଶେଷ ଭାଗରୁ ରାଜ୍ୟ ପ୍ରଭାରୀ ଭାବେ ଓଡ଼ିଶାରେ ଅବସ୍ଥାପିତ ହୋଇଥିଲେ ବିଦାୟୀ ଅରୁଣ ସିଂ । ତାଙ୍କ ମାର୍ଗଦର୍ଶନରେ ପୋୖର ନିର୍ବାଚନ , ପଞ୍ଚାୟତ ନିର୍ବାଚନ ଓ ଦୁଇଟି ସାଧାରଣ ନିର୍ବାଚନ ଲଢିଥିଲା ରାଜ୍ୟ ବିଜେପି । ତୃଣମୂଳ ସ୍ତରରେ ମଧ୍ୟ ଦଳର ଗ୍ରହଣୀୟତା ବଢିଥିଲା । ତେବେ ଦଳୀୟ ଆବଶ୍ୟକତା ଅନୁସାରେ ଅରୁଣ ସିଂ ଙ୍କୁ କର୍ଣ୍ଣାଟକ ଓ ରାଜସ୍ଥାନର ଦାୟିତ୍ୱ ଦିଆଯିବା ସହିତ ଡି. ପୁରନ୍ଦେଶ୍ବରୀ ଓ ବିଜୟପାଲ ସିଂ ତୋମାରଙ୍କୁ ଓଡ଼ିଶା ଦାୟିତ୍ୱ ଦିଆଯାଇଛି ।
ରାଜନୀତି ବିଶେଷଜ୍ଞ ଅକ୍ଷୟ ସାହୁଙ୍କ ମତରେ," ନୂଆକରି ଅବସ୍ଥାପିତ ମାର୍ଗଦର୍ଶକଙ୍କ ପାଇଁ ରାଜ୍ୟ ବିଜେପି ଉତ୍ସାହିତ ହେବାରେ କିଛି ଅସୁବିଧା ନାହିଁ । କିନ୍ତୁ ଉଭୟଙ୍କ ମାର୍ଗଦର୍ଶନରେ ତୁରନ୍ତ ଫାଇଦା ମିଳିବ ସେଭଳି ଭାବିବା ଭୁଲ । ଏଥିପାଇଁ ସମୟ ଲାଗିବ । କାରଣ ଉଭୟ ନେତା ତୁଳନାତ୍ମକ ଭାବେ ଓଡ଼ିଶାର ଭୌଗୋଳିକ ଅବସ୍ଥିତି ତଥା ରାଜନୈତିକ ପୃଷ୍ଟଭୂମି ସହିତ ସେତେଟା ପରିଚିତ ନୁହନ୍ତି । ତେବେ ନୂଆ ମାର୍ଗଦର୍ଶକ ଓଡ଼ିଶା ବିଜେପି ପାଇଁ ତୁରନ୍ତ ସେତେଟା ଫଳପ୍ରଦ ହେବ ନାହିଁ ।"
ଅନ୍ୟପକ୍ଷରେ ଏହି ଯୁକ୍ତି ସହିତ ସହମତି ରଖିଛନ୍ତି ବିରୋଧୀ । ବରିଷ୍ଠ କଂଗ୍ରେସ ନେତା ତଥା ବିଧାୟକ ସୁରେଶ ରାଉତରାୟ କହିଛନ୍ତି ନୁଆ ମାର୍ଗଦର୍ଶକଙ୍କ କାତଟି ସେତେଟା ଫଳପ୍ରଦ ହେବ ନାହିଁ । ଏହା ଅତୀତରେ ପ୍ରମାଣିତ ହୋଇଛି ଓ ଏଥର ବି ଅନୁରୂପ ଭାବେ ପ୍ରତିଫଳିତ ହେବ। " ଅନୌପଚାରିକ ଭାବେ ବିଜେଡି କହିଛି ଏହା ବିଜେପିର ଆଭ୍ୟନ୍ତରୀଣ ବ୍ୟାପାର । ଏବେ ସମସ୍ତଙ୍କ ନଜର ରାଜ୍ୟ ବିଜେପି ର ଏହି ନୂଆ ମାର୍ଗଦର୍ଶକଙ୍କ କାର୍ଯ୍ୟଧାରା ଉପରେ ।






