ଏଣିକି ଅନଲାଇନରେ ହୋଇପାରିବ ରାସନ କାର୍ଡ଼ ପାଇଁ ଆବେଦନ ଓ ଧାନ ସଂଗ୍ରହ ପଞ୍ଜିକରଣ
ମାସକ ମଧ୍ୟରେ କେତେ ଲୋକ ଏହି ଅନଲାଇନ ସୁବିଧାର ବ୍ୟବହାର କଲେ ସେ ସମ୍ପର୍କରେ ଜଣାଇବା ପାଇଁ ମୁଖ୍ୟ ମନ୍ତ୍ରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସାଧାରଣ ଲୋକଙ୍କ ପାଖରେ ସରକାରୀ ଯୋଜନାର ସୁଫଳ ପହଞ୍ଚାଇବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି ।
ରାଜ୍ୟରେ ଖାଦ୍ୟ ସୁରକ୍ଷା ଉପରେ ଏକ ପୁସ୍ତିକା ଉନ୍ମୋଚିତ କରୁଛନ୍ତି ମୁଖ୍ୟ ମନ୍ତ୍ରୀ ।
- News18 Odia
- Last Updated: October 22, 2020, 10:54 PM IST
ଭୁବନେଶ୍ୱର: ଏଣିକି ଆପଣ ଅନଲାଇନରେ ରାସନ କାର୍ଡ଼ ପାଇଁ ଆବେଦନ କରିପାରିବେ। ଫାଇଭ୍ ଟି (5T) ବ୍ୟବସ୍ଥା ଅଧୀନରେ ଧାନ ସଂଗ୍ରହ ପଞ୍ଜିକରଣ ବି ଅନଲାଇନରେ ହୋଇପାରିବ । ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଚାରିଟି ସେବା ପାଇଁ ଅନ୍ଲାଇନ ବ୍ୟବସ୍ଥା ଆରମ୍ଭ କରାଯାଇଛି ।
ଧାନ ବିକ୍ରୟ ପାଇଁ ଚାଷୀ ମାନଙ୍କ ପଞ୍ଜୀକରଣ, ରାସନ କାର୍ଡ ପାଇଁ ଆବେଦନ ଓ ସଂଶୋଧନ ଇତ୍ୟାଦି, ସୁଲଭ ମୂଲ୍ୟ ଦୋକାନ ପାଇଁ ଲାଇସେନ୍ସ ଫି ପ୍ରଦାନ ଓ ସୁଲଭ ମୂଲ୍ୟ ଦୋକାନମାନଙ୍କ ଦ୍ବାରା ଖାଦ୍ୟଶସ୍ୟର ମୂଲ୍ୟ ପ୍ରଦାନ ପାଇଁ ଅନଲାଇନ ବ୍ୟବସ୍ଥା କରାଯାଇଛି। ଏସବୁ ସୁବିଧା www.foododisha.in ର citizen Services ଲିଙ୍କରେ ମିଳିପାରିବ।
“ସମସ୍ତଙ୍କ ପାଇଁ ଖାଦ୍ୟ ସୁରକ୍ଷା ପାଇଁ, ଅର୍ଥାତ ଜଣେ ବି ଗରିବ ଲୋକ ଖାଦ୍ୟ ସୁରକ୍ଷାରୁ ବଞ୍ଚିତ ନ ହୋଇ ଘରେ ବସି ସବୁ ସୁବିଧା ପାଇପାରିବା ଲକ୍ଷରେ, ଏପରି ଅନଲାଇନ ବ୍ୟବସ୍ଥା କରାଯାଇଛି,’’ ଭିଡିଓ କନ୍ଫରେନ୍ସିଂ ଜରିଆରେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଅନଲାଇନ ବ୍ୟବସ୍ଥାର ଶୁଭାରମ୍ଭ କରିବା ବେଳେ କହିଛନ୍ତି । ଏହି ସୁବିଧାଗୁଡ଼ିକୁ ଅନଲାଇନ୍ କରିବା ଦ୍ୱାରା ସ୍ବଚ୍ଛତା ଓ ଦକ୍ଷତାରେ ଗୁଣାତ୍ମକ ପରିବର୍ତ୍ତନ ହେବ ବୋଲି ସେ କହିଛନ୍ତି ।

NFSAରୁ ବାଦ୍ ପଡିଥିବା ରାଜ୍ୟର ୨୫ ଲକ୍ଷ ଲୋକଙ୍କୁ ରାଜ୍ୟ ଯୋଜନାରେ ସାମିଲ କରାଯାଇଛି।
ମୁଖ୍ୟ ମନ୍ତ୍ରୀ କହିଛନ୍ତି ଯେ ରାଜ୍ୟ ସରକାର ଲୋକଙ୍କ ଖାଦ୍ୟ ସୁରକ୍ଷା ପାଇଁ ପ୍ରତିଶୃତିବଦ୍ଧ। ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ସହିତ ରାଜ୍ୟ ସରକାରଙ୍କ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ NFSAରୁ ବାଦ୍ ପଡିଥିବା ୨୫ ଲକ୍ଷ ଲୋକଙ୍କୁ ସାମିଲ କରାଯାଇଛି। ସାରା ରାଜ୍ୟରେ ସାଢେ ତିନି କୋଟିରୁ ଅଧିକ ଲୋକ ଖାଦ୍ୟ ସୁରକ୍ଷାରେ ସାମିଲ ହୋଇଛନ୍ତି । ସାରା ରାଜ୍ୟର ଲୋକ ଏହି ବିଭାଗ ସହିତ ସିଧାସଳଖ ଯୋଡ଼ି ହୋଇ ରହିଛନ୍ତି। ତେଣୁ ସାଧାରଣ ଲୋକ ପରିବର୍ତ୍ତନର ସୁଫଳ ଯେପରି ଠିକ୍ ଭାବରେ ପାଇପାରିବେ ସେଥି ପାଇଁ ଅନଲାଇନ ବ୍ୟବସ୍ଥା ସଂପର୍କରେ ବ୍ୟାପକ ସଚେତନତା ସୃଷ୍ଟି କରିବା ପାଇଁ ସେ କହିଛନ୍ତି । ମାସକ ମଧ୍ୟରେ କେତେ ଲୋକ ଏହି ଅନଲାଇନ ସୁବିଧାର ବ୍ୟବହାର କଲେ ସେ ସମ୍ପର୍କରେ ଜଣାଇବା ପାଇଁ ମୁଖ୍ୟ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।
ଏହା ବି ପଢ଼ନ୍ତୁ | କଂଗ୍ରେସ ଦେଶରେ ସରକାରକୁ ଆସିଲେ ୩ଟି ଯାକ କୃଷି ଆଇନକୁ ହଟେଇଦେବ: ରାହୁଳ ଗାନ୍ଧୀ
ଏହି ଅବସରରେ ଖାଦ୍ୟ ସୁରକ୍ଷା ଦିଗରେ ଗତ ୨୦ ବର୍ଷ ମଧ୍ୟରେ ଓଡିଶାରେ ଆସିଥିବା ପରିବର୍ତ୍ତନ ସମ୍ପର୍କିତ ସମସ୍ତ ତଥ୍ୟ ସମ୍ବଳିତ ଏକ ପୁସ୍ତିକା ‘Making of a Food Secure Odisha’କୁ ମୁଖ୍ୟ ମନ୍ତ୍ରୀ ଉନ୍ମୋଚିତ କରିଥିଲେ ।
ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଛନ୍ତି ଫାଇଭ୍-ଟି କାର୍ଯ୍ୟକ୍ରମ ଅଧୀନରେ ବ୍ୟାପକ ପରିବର୍ତ୍ତନ ଆଣିବା ପାଇଁ ବିଭାଗ ପ୍ରତିଶୃତିବଦ୍ଧ ହୋଇ କାର୍ଯ୍ୟ କରୁଛି । ଆଜିର ଏହି ଅନଲାଇନ ସେବାଗୁଡ଼ିକ ସେ ଦିଗରେ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ବୋଲି ସେ କହିଥିଲେ ।
ଏହା ବି ପଢ଼ନ୍ତୁ | କରୋନାରୁ ଆରୋଗ୍ୟ ହୋଇଥିବା ଲୋକଙ୍କ ଦେହରେ ୯୦ ଦିନ ପର୍ଯ୍ୟନ୍ତ ରହିଥାଏ ଏହି ଭାଇରସ୍
ଏହି କାର୍ଯ୍ୟକ୍ରମରେ ଉନ୍ନୟନ କମିଶନର ସୁରେଶ ମହାପାତ୍ର, କୃଷି ଉତ୍ପାଦନ କମିଶନର ଆର୍.କେ. ଶର୍ମା, କୃଷି ବିଭାଗ ପ୍ରମୁଖ ସଚିବ ସୌରଭ ଗର୍ଗ, ଅର୍ଥ ବିଭାଗର ପ୍ରମୁଖ ସଚିବ ଏ.କେ. ମୀଣା ଏବଂ ମୁଖ୍ୟ ମନ୍ତ୍ରୀଙ୍କ ସଚିବ ସହ ୫-ଟି ସଚିବ ଭି.କେ. ପାଣ୍ଡିଆନ ପ୍ରମୁଖ ଉପସ୍ଥିତ ଥିଲେ । ବିଭିନ୍ନ ଜିଲ୍ଲାପାଳ ଓ ଖାଦ୍ୟ ଯୋଗାଣ ବିଭାଗର କ୍ଷେତ୍ର କର୍ମଚାରୀମାନେ ବି ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।
ଗୋଟିଏ ପରେ ଗୋଟିଏ ବ୍ୟବସ୍ଥାକୁ ଅନଲାଇନରେ ଯୋଗାଇଦେବାକୁ ରାଜ୍ୟ ସରକାର ପ୍ରୟାସ ଜାରି ରଖିଛନ୍ତି। ପାଉତି କାଟିବା ଠୁଁ ଆରମ୍ଭ କରି ବିଦ୍ୟୁତ ଦେୟ ଓ ବିଭଗ ସମ୍ପର୍କିତ ଅଭିଯୋଗ ପାଇଁ ମଧ୍ୟ୍ୟ ଅନଲାଇନ ବ୍ୟବସ୍ଥା କରାଯାଇଛି। ଘର ଦ୍ୱାରରେ ସେବା ଯୋଗାଇଦେବା ଲକ୍ଷ ନେଇ ଆଗାମୀ ଦିନରେ ସବୁ ବ୍ୟବସ୍ଥାକୁ ଅନଲାଇନରେ କରିବା ନେଇ ସରକାର ପ୍ରୟାସ ଜାରି ରଖିଛନ୍ତି ବୋଲି କହିଛନ୍ତି ଅଧିକାରୀମାନେ ।






