ଭୁବନେଶ୍ବରରେ ମହଙ୍ଗା ହେବ ପାର୍କିଂ ଫି; ଏଣିକି ପ୍ରତି ଘଣ୍ଟା ଦରରେ ଦେବାକୁ ହେବ ଫି; ଅସନ୍ତୋଷ ବଢ଼ିଲା
ଏହି ନୂଆ ବ୍ୟବସ୍ଥା ଅନୁଯାୟୀ ଦୁଇଚକିଆ ଓ ତିନିଚକିଆ ଯାନ ପାଇଁ ପ୍ରଥମ ଦୁଇ ଘଣ୍ଟାକୁ ୫ ଟଙ୍କା ଫି ରଖାଯାଇଛି । ପରବର୍ତ୍ତୀ ଏକ ଘଣ୍ଟା ପାଇଁ ଦୁଇଚକିଆ ଗାଡିକୁ ୧୫ ଟଙ୍କା ଓ ତିନିଚକିଆ ଗାଡିକୁ ୨୦ ଟଙ୍କା ଦେବାକୁ ପଡ଼ିବ ।
ଅଧିକ ଜନଗହଳିପୂର୍ଣ୍ଣ ମାର୍କେଟ ବିଲ୍ଡିଂ ସମ୍ମୁଖରେ ଥିବା ପାର୍କିଂ
- News18 Odia
- Last Updated: September 14, 2020, 2:43 PM IST
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ବରରେ ମହଙ୍ଗା ହେବ ପାର୍କିଂ ଫି। ସହରରେ ଯେଉଁଠି ବି ଆପଣ ଗାଡ଼ି ପାର୍କିଂ କଲେ ଏଣିକି ଅଧିକ ଫି ଦେବାକୁ ପଡ଼ିବ। ଏଣିକି ଘଣ୍ଟା ପିଛା ଆଦାୟ ହେବ ଫି। ଆପଣ ଯେତେ ଘଣ୍ଟା ଗାଡ଼ି ପାର୍କ କରିବେ ସେଇ ଅନୁସାରେ ଗଣିବେ ପଇସା । ଏହି ନୂଆ ନିୟମ ଆଣିବାକୁ ଯାଉଛି ବିଏମସି । ଖୁବ୍ ଶୀଘ୍ର ଏହାକୁ କାର୍ଯ୍ୟକାରୀ କରିବାକୁ ଲକ୍ଷ୍ୟ ରଖିଛି ବିଏମସି।
ପାର୍କିଂ ସ୍ଥାନରେ ଦୁଇ ଘଣ୍ଟାରୁ ଅଧିକ ସମୟ ଗାଡ଼ି ପାର୍କ କଲେ ଘଣ୍ଟା ପିଛା ଫି ଦେବାକୁ ପଡ଼ିବ। ଏଭଳି ନୂଆ ବ୍ୟବସ୍ଥା ଲାଗୁ କରିବ ବିଏମସି । ଏହି ନୂଆ ବ୍ୟବସ୍ଥା ଅନୁଯାୟୀ ଦୁଇଚକିଆ ଓ ତିନିଚକିଆ ଯାନ ପାଇଁ ପ୍ରଥମ ଦୁଇ ଘଣ୍ଟାକୁ ୫ ଟଙ୍କା ଫି ରଖାଯାଇଛି । ପରବର୍ତ୍ତୀ ଏକ ଘଣ୍ଟା ପାଇଁ ଦୁଇଚକିଆ ଗାଡିକୁ ୧୫ ଟଙ୍କା ଓ ତିନିଚକିଆ ଗାଡିକୁ ୨୦ ଟଙ୍କା ଦେବାକୁ ପଡ଼ିବ । ତା’ ପରବର୍ତ୍ତୀ ୧ ଘଣ୍ଟା ପାଇଁ ଦୁଇଚକିଆ ଗାଡ଼ିକୁ ଘଣ୍ଟା ପିଛା ଯଥା କ୍ରମେ ୨୫ ଟଙ୍କା ଓ ୩୫ ଟଙ୍କା ଦେବାକୁ ପଡ଼ିବ। ସେହି ପରି ତିନିଚକିଆ ଗାଡ଼ିକୁ ଯଥା କ୍ରମେ ୩୫ ଟଙ୍କା ଓ ୫୦ ଟଙ୍କା ଦେବାକୁ ପଡ଼ିବ ।
ଚାରିଚାକିଆ ଗାଡ଼ି (କାର୍) ପାଇଁ ପ୍ରଥମ ଦୁଇ ଘଣ୍ଟାକୁ ୨୦ ଟଙ୍କା ଦେବାକୁ ପଡ଼ିବ। ପରବର୍ତ୍ତୀ ଏକ ଘଣ୍ଟା ପାଇଁ ୪୦ ଟଙ୍କା ରହିଛି। ତା’ ପରେ ଘଣ୍ଟା ପ୍ରତି ୬୦ ଟଙ୍କା ଓ ୮୦ ଟଙ୍କା ଦେବାକୁ ପଡ଼ିବ। ଚାରିଚକିଆ ଭାରି ଯାନ ପାଇଁ ପ୍ରଥମ ଦୁଇ ଘଣ୍ଟା ପାଇଁ ୨୫ ଟଙ୍କା ଓ ପରେ ୫୦ ଟଙ୍କା, ୭୫ ଟଙ୍କା ଓ ୧୦୦ ଟଙ୍କା ପାର୍କିଂ ଫି ଦେବାକୁ ପଡ଼ିବ। ଏହା ପରେ ପ୍ରତି ଘଣ୍ଟା ପିଛା ୨୦ ଟଙ୍କା ଲେଖାଏଁ ବୃଦ୍ଧି ପାଇବ ଫି।

ଉପଯୁକ୍ତ ସ୍ଥାନ ଅଭାବରୁ ମନ ଇଛା ଗାଡି ପାର୍କିଂ କରିଛନ୍ତି ଲୋକେ
‘‘ପାର୍କିଂ ସ୍ଥାନରେ ଅଯଥା ଭିଡ଼ ନିୟନ୍ତ୍ରଣ ସହ ଦୀର୍ଘ ସମୟ ଧରି ଗାଡ଼ି ନ ରଖିବା ନେଇ ଏହି ବ୍ୟବସ୍ଥା ଲାଗୁ କରାଯିବ। ଏହା ଦ୍ୱାରା ପାର୍କିଂ ପ୍ଲେସରେ ଗହଳି ହେବନି। ତା’ଛଡା ବିନା କାରଣରେ ଲୋକେ ଗାଡ଼ି ରଖି ଘଣ୍ଟା ଘଣ୍ଟା ବାହାରେ ରହୁଥିଲେ। ସେଥିରୁ ଏବେ ମୁକ୍ତି ମିଳିବ,’’ କହିଛନ୍ତି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ।

ଜନପଥରେ ପାର୍କିଂ
ଏହି ନୂଆ ବ୍ୟବସ୍ଥାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ରାଜଧାନୀବାସୀ। ‘‘ସହରରେ ଆବଶ୍ୟକୀୟ ପାର୍କିଂ ସ୍ଥାନ ନାହିଁ। ପ୍ରଥମେ ସେ ବାବଦରେ ସଠିକ ବ୍ୟବସ୍ଥା ନ କରି ପାର୍କିଂ ଫି ବଢ଼ାଇବା ଲୋକଙ୍କ ଉପରେ ବୋଝ ଲଦିବା ସଦୃଶ ହୋଇଛି,’’ କହିଛନ୍ତି ଶୈଳଶ୍ରୀ ବିହାର ବାସିନ୍ଦା ଅଭିମନ୍ୟୁ ସାହୁ ।
ଏହା ବି ପଢ଼ନ୍ତୁ | ଡ୍ରଗ୍ସ ମାମଲାରେ ଏହି ଦୁଇ ବଡ଼ ଅଭିନେତ୍ରୀଙ୍କ ନାମ ସାମ୍ନାକୁ ଆସିଛି; ରିୟା ଚକ୍ରବର୍ତ୍ତୀ NCB ଆଗରେ ଏହା ପ୍ରକାଶ କରିଛନ୍ତି
ଏହା ବି ପଢ଼ନ୍ତୁ | ଏହି ଯୁବକ UPSC ପରୀକ୍ଷାରେ ୫ ଥର ଫେଲ୍ ହେଲେ; ଷଷ୍ଠ ଥରରେ ପାସ୍ କରି IAS ହେଲେ
‘‘ପ୍ରଥମେ କିଛି ମିନିଟ୍ ପାର୍କିଂ ଫି ଛାଡ଼ କରାଯାଉ। ତା’ପରେ ଘଣ୍ଟା ପିଛା ଫି ଆଦାୟ କରାଯାଉ। ତେବେ ଯାଇ ଉଭୟ ଜନସାଧାରଣ ଓ ବିଏମସି ଲାଭନ୍ବିତ ହୋଇପାରିବେ। ନିୟମ ଯାହା ବି ହେଉ କିନ୍ତୁ ପ୍ରଥମେ ତା ଉପରେ ସଠିକ ତର୍ଜମା କରାଯାଉ । ତା’ ପରେ ତାକୁ କାର୍ଯ୍ୟକାରୀ କରାଯାଉ,’’ କହିଛନ୍ତି ଟାଉନ ପ୍ଲାନର ପୀୟୂଷ ରାଉତ ।
ଏହି ନୂଆ ବ୍ୟବସ୍ଥାରେ ଇଲେକ୍ଟ୍ରିକ ଗାଡି ପାଇଁ ୪୦ ପ୍ରତିଶତ ରିହାତି ଦିଆଯାଇଥିବା ବେଳେ ବ୍ୟବସାୟୀଙ୍କ ପାଇଁ ସ୍ୱତନ୍ତ୍ର ପାସ୍ ବ୍ୟବସ୍ଥା କରାଯାଇଛି । ଦିନକୁ ୨୦ ଟଙ୍କା, ୧୫ ଦିନକୁ ୩୦୦ ଟଙ୍କା, ମାସକୁ ୫୦୦ ଟଙ୍କା ଭାବେ ପାସ୍ ବ୍ୟବସ୍ଥା ହୋଇଛି। ତେବେ ଟ୍ରେଡ଼ ଲାଇସେନ୍ସ ରଖିଥିବା ବ୍ୟବସାୟୀଙ୍କୁ ପୁଣି ପାର୍କିଂ ଫି ଦେବା କେତେ ଦୂର ଯଥାର୍ଥ ତାକୁ ନେଇ ଉଠିଛି ପ୍ରଶ୍ନ ।






