IPL 2021: ଚଳିତବର୍ଷ ଆଇପିଏଲରେ ଚମକି ପାରନ୍ତି ଓଡ଼ିଆ ଖେଳାଳି; ଚୂଡ଼ାନ୍ତ ତାଲିକାରେ ସାମିଲ ହେଲେ
ଆସନ୍ତା ୧୮ ତାରିଖ ଦିନ ଚେନ୍ନାଇରେ ଆଇପିଏଲ ୨୦୨୧ ର ନିଲାମୀ ପାଇଁ ୨୯୨ ଜଣ ଖେଳାଳିଙ୍କ ନାମ ଚୂଡ଼ାନ୍ତ ହୋଇଛି । ଏହି ତାଲିକାରେ ଦୁଇ ଜଣ ଓଡ଼ିଆ ଖେଳାଳୀ ଶୁଭ୍ରାଂଶୁ ସେନାପତି ଓ ଗୋବିନ୍ଦ ପୋଦ୍ଦାର ରହିଛନ୍ତି । ଉଭୟ ଖେଳାଳି ୨୦ ଲକ୍ଷ ଟଙ୍କା ବେସ୍ ପ୍ରାଇସ୍ ବର୍ଗରେ ସାମିଲ ହୋଇଛନ୍ତି ।
ଚୁଡ଼ାନ୍ତ ତାଲିକାରେ ସାମିଲ ହେଲେ ଗୋବିନ୍ଦ ପୋଦ୍ଦାର ଓ ଶୁଭ୍ରାଂଶୁ ସେନାପତି
- News18 Odia
- Last Updated: February 12, 2021, 9:05 PM IST
କଟକ: ଆଇପିଏଲ-୨୦୨୧ ରେ ଓଡ଼ିଆ କ୍ରିକେଟର ସାମିଲ ହେବାକୁ ନେଇ ସମ୍ଭାବନା ବୃଦ୍ଧି ପାଇଛି । କାରଣ ଚଳିତବର୍ଷ ଖେଳାଯିବାକୁ ଥିବା ଆଇପିଏଲ ଦୁଇ ଜଣ ଓଡ଼ିଆ ଖେଳାଳିଙ୍କ ନାମ ନିଲାମ ପ୍ରକ୍ରିୟାର ଚୂଡ଼ାନ୍ତ ତାଲିକାରେ ପ୍ରକାଶ ପାଇଛି । ଏହି ଦୁଇ ଜଣ ଖେଳାଳିଙ୍କ ମଧ୍ୟରେ ବ୍ୟାଟ୍ସମ୍ୟାନ୍ ଶୁଭ୍ରାଂଶୁ ସେନାପତି ଓ ଅଲରାଉଣ୍ଡର ଗୋବିନ୍ଦ ପୋଦ୍ଦାର ଅଛନ୍ତି ।
ଆସନ୍ତା ୧୮ ତାରିଖ ଦିନ ଚେନ୍ନାଇରେ ଆଇପିଏଲ ୨୦୨୧ ପାଇଁ ନିଲାମ ପ୍ରକ୍ରିୟା ଆରମ୍ଭ ହେବ ଓ ଏହି ଦୁଇ ଓଡ଼ିଆ ଖେଳାଳିଙ୍କୁ କେଉଁ ଫ୍ରାଞ୍ଚାଇଜି କିଣୁଛନ୍ତି ତାହା ସମସ୍ତଙ୍କ ଓଡ଼ିଆଙ୍କର ନଜର ରହିବ । ତେବେ ପୂର୍ବରୁ ମଧ୍ୟ ଆଇପିଏଲ ନିଲାମି ପ୍ରକ୍ରିୟାରେ ଓଡ଼ିଆ ଖେଳାଳିଙ୍କ ନାମ ଯାଇଥିଲେ ମଧ୍ୟ ଉଭୟ ଶୁଭ୍ରାଂଶୁ ଓ ଗୋବିନ୍ଦଙ୍କର ଗତ ସିଜନରେ ଭଲ ପଦର୍ଶନ ରହିଥିବାରୁ ସେମାନେ ଚଳିତ ବର୍ଷର ଆଇପିଏଲ ସାମିଲ ହୋଇପାରନ୍ତି ବୋଲି ଆଶା ବ୍ୟକ୍ତ କରିଛି ଓସିଏ ।
“ଆମର ଗୋଟିଏ ସ୍ବପ୍ନ ରହିଛି ଯେ ଆଇପିଏଲରେ ଓଡ଼ିଆ ଖେଳାଳି ଖେଳନ୍ତୁ । ଉଭୟ ଶୁଭ୍ରାଂଶୁ ଓ ଗୋବିନ୍ଦ ପୋଦ୍ଦାରଙ୍କ ଉପରେ ସିଲେକ୍ସଟରମାନଙ୍କ ନଜର ରହିଥିଲା । ସେଥିପାଇଁ ସେମାନଙ୍କ ନାଁ ଚୁଡାନ୍ତ ତାଲିକାରେ ସାମିଲ ହୋଇଛି । ମୁଁ ବେଶ ଆଶାବାଦୀ ରହିଛି ଯେ ଦୁଇ ଜଣଙ୍କୁ କୌଣସି ନା କୌଣସି ଫ୍ରାଞ୍ଚାଇଜି କିଣିବେ,” କହିଛନ୍ତି ଓସିଏର ଯୁଗ୍ମ ସମ୍ପାଦକ ମେହାତାବ ଖାନ୍ ।
ଉଭୟ ଶୁଭ୍ରାଂଶୁ ସେନାପତି ଓ ଗୋବିନ୍ଦ ପୋଦ୍ଦାରଙ୍କ କ୍ରିକେଟ କରିୟର ବେଶ ଲମ୍ବା ରହିଛି । ଶୁଭ୍ରାଂଶୁ ୩୪ ଟି ପ୍ରଥମ ଶ୍ରେଣୀ ମ୍ୟାଚ ଖେଳି ୧୮୫୪ ରନ କରିଛନ୍ତି । ଯେଉଁଥିରେ ୭ଟି ଅର୍ଦ୍ଧଶତକ ଓ ୫ଟି ଶତକ ସାମିଲ ରହିଛି । ସେହି ଭଳି ଗୋବିନ୍ଦ ପୋଦ୍ଦାର ୭୧ ଟି ମ୍ୟାଚ୍ଖେଳି ୩୪୨୩ ରନ କରିବା ସହ ୧୬ଟି ଅର୍ଦ୍ଧଶତକ ଓ ୭ଟି ଶତକ କରିଛନ୍ତି । ଓ ତାଙ୍କ ନାଁରେ ୪୩ଟି ୱିକେଟ୍ ମଧ୍ୟ ରହିଛି । ଓ ଗତ ରଣଜି ସିଜନ୍ରେ ଓଡ଼ିଶାକୁ ସେମିଫାଇନାଲ ପର୍ଯ୍ୟନ୍ତ ନେବାରେ ଏହି ଦୁଇ ଖେଳାଳିଙ୍କ ବେଶ ଗୁରୁତ୍ବପୂର୍ଣ୍ଣ ଭୁମିକା ଥିଲା । ତେବେ ନିଜ ନାମ ଆଇପିଏଲର ଚୁଡାନ୍ତ ତାଲିକାରେ ଆସିବା ପରେ ଖୁସି ପ୍ରକାଶ କରିଛନ୍ତି ଗୋବିନ୍ଦ ପୋଦ୍ଦାର ।
“ପୂର୍ବରୁ ବି ମୋ ନାମ ଆଇପିଏଲର ଚୁଡ଼ାନ୍ତ ତାଲିକାକୁ ଯାଇଥିଲା । କିନ୍ତୁ କେହି ମୋ ପ୍ରତି କେହି ଆଗ୍ରହ ପ୍ରକାଶ କରିନଥିଲେ । ହେଲେ ଗତ ଦୁଇ ବର୍ଷ ହେଲା ମୁଁ ବହୁତ ପରିଶ୍ରମ କରୁଛି । ଭାତୀୟ ଜାତୀୟ ଟିମ୍ରେ ସାମିଲ ହେବା ମୋର ଲକ୍ଷ ରହିଛି । ସେହି ଲକ୍ଷ ହାସଲ କରିବା ପାଇଁ ଯାହା ପରିଶ୍ରମ କରିବାକୁ ପ୍ରସ୍ତୁତି ଦରକାର । ମୁଁ ସେ ସବୁ କରୁଛି । ଗତ ଦୁଇଟି ସିଜନ୍ରେ ମୋର ପରଫରମାନ୍ସ ଭଲ ଥିଲା । ଯଦି କୌଣସି ଫ୍ରାଞ୍ଜାଇଜି ଆଗ୍ରହ ପ୍ରକାଶ କଲେ ତା ହେଲେ ମୁଁ ଖୁସି ହେବି ଆଉ ମୁଁ ସେଥିପାଇଁ ପ୍ରସ୍ତୁତ ମଧ୍ୟ ଅଛି,” କହିଛନ୍ତି ଗୋବିନ୍ଦ ପୋଦ୍ଦାର ।
ପୂର୍ବରୁ ଦୁଇ ଜଣ ଓଡ଼ିଆ ଆଇପିଏଲରେ ଖେଳିଛନ୍ତି । ସେମାନେ ହେଉଛନ୍ତି ପ୍ରଜ୍ଞାନ ଓଝା ଓ ବିପ୍ଲବ ସାମନ୍ତରାୟ । କିନ୍ତୁ ପ୍ରଜ୍ଞାନ ହାଇଦ୍ରାବାଦ ପକ୍ଷରୁ ଚୟନ ହୋଇଥିବା ବେଳେ ଓଡ଼ିଶାରୁ ଏକ ମାତ୍ର ଖେଳାଳି ଭାବେ କେବଳ ବିପ୍ଳବ ହିଁ ଏହି ଲୋକପ୍ରିୟ ଟୁର୍ଣ୍ଣାମେଣ୍ଟରେ ଖେଳିବାର ସୁଯୋଗ ପାଇଥିଲେ ।






