ଭୁବନେଶ୍ୱରରେ ଆରମ୍ଭ ହେଲା ‘ସାଇକେଲଗିରି’; BMC କହିଲା ‘‘ପ୍ରତି ଶୁକ୍ରବାର ସାଇକେଲ ବାର’’
‘ମୋ ସାଇକେଲ୍’ ଯୋଜନାରେ ଭୁବନେଶ୍ୱର ପାଇଁ ଆସିଥିବା ୨,୦୦୦ ସାଇକେଲ୍ ଏବେ ରାଜଧାନୀର ବିଭିନ୍ନ ଗଳିକନ୍ଦିରେ ରଖାଯିବ। ସାଧାରଣ ଲୋକେ ଯେମିତି ସୁବିଧାରେ ସେଗୁଡ଼ିକୁ ବ୍ୟବହାର କରିପାରିବେ ସେଥି ପାଇଁ ବ୍ୟବସ୍ଥା ହେବ।
‘ସାଇକେଲଗିରି’ର ଉଦଘାଟନ ସମାରୋହରେ ବି.ଏମ୍.ସି. କମିଶନର ପ୍ରେମଚନ୍ଦ୍ର ଚୌଧୁରୀ (ବାମ)
- News18 Odia
- Last Updated: October 9, 2020, 11:54 PM IST
ଭୁବନେଶ୍ୱର: ଆପଣ ଦାଦାଗିରି ଓ ଭାଇଗିରି ଶବ୍ଦ ଶୁଣିଥିବେ, ହେଲେ ‘ସାଇକେଲଗିରି’ ଭଳି ଏକ ନୂଆ କନସେପ୍ଟ ଆରମ୍ଭ ହୋଇଛି ସ୍ମାର୍ଟ ସିଟି ଭୁବନେଶ୍ୱରରେ । ସାଇକେଲିଂ ଏକ ଭଲ ଅଭ୍ୟାସ । ଶରୀର ସାଙ୍ଗକୁ ପରିବେଶ ସନ୍ତୁଳନରେ ବି ସାହାଯ୍ୟ କରେ ସାଇକେଲିଂ। ତେଣୁ ସାଇକେଲିଆଙ୍କୁ ସମ୍ମାନ ଦେବାର ମନ୍ତ୍ର ଆଣିଛି ଭୁବନେଶ୍ୱର ମହାନଗର ନିଗମ (ବି.ଏମ୍.ସି.)।
ରାଜଧାନୀବାସୀଙ୍କୁ ସାଇକେଲ ଚଳାଇବାକୁ ପ୍ରୋତ୍ସାହନ ଯୋଗାଇବା ସାଙ୍ଗକୁ ଏହାର ଆବଶ୍ୟକତା ଆଜିର ପରିସ୍ଥିରେ ଅନେକ ରହିଛି ବୋଲି ବାର୍ତ୍ତା ଦିଆଯାଇଛି । ତେଣୁ ସମୟ ମିଳିଲେ ସାଇକେଲ ଚଳାନ୍ତୁ ଓ ସୁସ୍ଥ ରୁହନ୍ତୁ ବୋଲି ଆହ୍ୱାନ ଦେଇଛନ୍ତି ମହାନଗର ନିଗମ କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ।
‘‘ପାଖ ଜାଗାକୁ ଗଲେ କି ଘର ପାଇଁ ସଉଦା କରିବାକୁ ଗଲେ ଗାଡ଼ି ନ ନେଇ ସାଇକେଲ ନେଇ ଯାଆନ୍ତୁ । ଏହା ଦ୍ୱାରା ଭିଡ଼ କମିବ, ଟ୍ରାଫିକ ନିୟନ୍ତ୍ରଣ ହେବ ଓ ପ୍ରଦୁଷଣ କମିବ। ମୁଁ ପ୍ରତି ଦିନ ସାଇକେଲ ଚଳାଏ । ଆଗରୁ ସବୁ ଶୁକ୍ରବାର ସରକାରୀ କାର୍ଯ୍ୟାଳୟରେ ସମସ୍ତଙ୍କୁ ସାଇକେଲ ଚଳାଇବା ବାଧ୍ୟତାମୂଳକ ହୋଇଥିଲା । ପରେ କୋଭିଡ ପାଇଁ ବ୍ୟତିକ୍ରମ ଦେଖାଦେଇଥିଲା । ହେଲେ ଏବେ ପୁଣି ଏହି ସାଇକେଲ ଅଭ୍ୟାସ ସମସ୍ତଙ୍କୁ କରିବାକୁ ହେବ,’’ କହିଛନ୍ତି ପ୍ରେମଚନ୍ଦ୍ର ଚୌଧୁରୀ ।

ଏହି କାର୍ଯ୍ୟକ୍ରମରେ ୨୦୦ରୁ ଅଧିକ ସାଇକ୍ଲିଷ୍ଟ ଶିଶୁ ଭବନ ଛକରୁ ଧଉଳି ପର୍ଯ୍ୟନ୍ତ ୧୨ କିମି ଯାତ୍ରା କରିଥିଲେ ।
ସାଇକେଲର ବହୁଳ ବ୍ୟବହାରକୁ ପ୍ରୋତ୍ସାହନ ଦେବା ପାଇଁ ଆୟୋଜିତ ହୋଇଥିଲା ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ‘ସାଇକେଳିଆଙ୍କୁ ସମ୍ମାନ’ । ‘‘ଏଭ୍ରି ଫ୍ରାଇଡେ ଇଜ୍ ସାଇକେଲ ଡେ’’, ଅର୍ଥାତ ପ୍ରତି ଶୁକ୍ରବାର ସାଇକେଲ ବାର ବୋଲି ଭାବି ସାଇକେଲ ଚଳାଇବାକୁ ଅନୁରୋଧ କରିଛି ବିଏମସି । ସେଥି ପାଇଁ ସ୍ମାର୍ଟ ସିଟି ଲିମିଟେଡ଼ ଓ ବିଏମ୍ସି ମିଳିତ ଭାବରେ ସାଇକେଲଗିରି କାର୍ଯ୍ୟକ୍ରମ ଆୟୋଜନ କରିଥଲେ ।
ଏହି କାର୍ଯ୍ୟକ୍ରମରେ ୨୦୦ରୁ ଅଧିକ ସାଇକ୍ଲିଷ୍ଟ ଯୋଗ ଦେଇ ଶିଶୁ ଭବନ ଛକରୁ ଧଉଳି ପର୍ଯ୍ୟନ୍ତ ୧୨ କିମି ଯାତ୍ରା କରିଥିଲେ । ସାଇକେଲକୁ ନେଇ ଏକ ୱେବସାଇଟ ସହ ଏକ ସ୍ପେଶାଲ ଆନ୍ଥେମ୍ ବା ଗୀତ ବି ଉନ୍ମୋଚିତ ହୋଇଛି। ବର୍ତ୍ତମାନ ପରିସ୍ଥିତିରେ ଦେହ ଓ ମନକୁ ସୁସ୍ଥ ରଖିବା ପାଇଁ ଆଗକୁ ଅନେକ କିଛି ବିଏମସି ପକ୍ଷରୁ ଆୟୋଜନ କରାଯିବା ନେଇ ମଧ୍ୟ ସୂଚନା ରହିଛି।
ଏହା ବି ପଢ଼ନ୍ତୁ | କରୋନାରୁ ଆରୋଗ୍ୟ ହୋଇଥିବା ଲୋକଙ୍କ ଦେହରେ ୯୦ ଦିନ ପର୍ଯ୍ୟନ୍ତ ରହିଥାଏ ଏହି ଭାଇରସ୍
ଏହା ବି ପଢ଼ନ୍ତୁ | ‘‘ରିପବ୍ଲିକ୍ ଟିଭି ଟଙ୍କା ଦେଇ TRP କିଣୁଥିଲା; ଅନ୍ୟ ୨ ନ୍ୟୁଜ୍ ଚ୍ୟାନେଲର ନାମ ବି ଆସିଛି’’: ମୁମ୍ବାଇ ପୋଲିସ୍
‘‘ମୁଁ ପ୍ରତି ଦିନ ସାଇକେଲ ଚଳାଏ, ଆଜି ନୂଆ ନୁହେଁ। କିନ୍ତୁ ଡେରିରେ ହେଲେ ବି ବିଏମସି ଏହା ଉପରେ ଗୁରୁତ୍ୱ ଦେଉଛି ଆଉ ଆମକୁ ସମ୍ମାନ ଦେଉଛି, ସେଥି ପାଇଁ ଖୁସି ଲାଗୁଛି,’’ କହିଛନ୍ତି ସାଇକେଲିଷ୍ଟ ସୂର୍ଯ୍ୟମଣି ନାୟକ ।
ପ୍ରତି ବସ୍ ଷ୍ଟପରେ କ୍ରୁଟ ପକ୍ଷରୁ ଯେଉଁ ସାଇକେଲ ସବୁ ରହିଛି ତାହାର ଦାୟିତ୍ୱ ବର୍ତ୍ତମାନ ବିଏମସି ନେଇଛି । ସେଗୁଡ଼ିକୁ ଏବେ ପ୍ରତି ଗଳିକନ୍ଦିରେ ରଖାଯିବ। ସାଧାରଣ ଲୋକ ଯେମିତି ସୁବିଧାରେ ସେଗୁଡ଼ିକୁ ବ୍ୟବହାର କରିପାରିବେ ସେଥି ପାଇଁ ସ୍ଥାନ ନିରୂପଣ ହେବ। ‘ମୋ ସାଇକେଲ୍’ ଯୋଜନାରେ ଆସିଥିବା ୨,୦୦୦ ସାଇକେଲ ଏବେ ଏମିତି ବ୍ୟବହାର ହେବ । ତେବେ କ୍ରୁଟ ପରେ ବିଏମ୍ସିର ଏ ଯୋଜନା କେତେ ଫଳପ୍ରଦ ହେବ ତାହା ପରବର୍ତ୍ତୀ ସମୟରେ ହିଁ ଜଣାପଡ଼ିବ।






