‘ବନ୍ଦେ ଉତ୍କଳ ଜନନୀ’ ଏଣିକି ସ୍କୁଲ ପାଠ୍ୟକ୍ରମରେ ରହିବ; ମାଗଣା ଅନଲାଇନ୍ ପଢ଼େଇବ TCS କମ୍ପାନୀ
ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କର କାଳଜୟୀ କୃତି ପଢ଼ିବାର ସୁଯୋଗ ପାଇବେ। ରାଜ୍ୟର ୧୦୧ଟି ଉତ୍କର୍ଷ ଓ ୨୧୪ଟି ଆଦର୍ଶ ବିଦ୍ୟାଳୟରେ TCS କମ୍ପାନୀ ସହାୟତାରେ ମାଗଣାରେ ଡିଜିଟାଲ କ୍ଳାସ୍ ଆରମ୍ଭ ହେବ ।
ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ; (ଡାହାଣ) ଏକ ଶ୍ରେଣୀ ଗୃହର ଫାଇଲ୍ ଫଟୋ
- News18 Odia
- Last Updated: November 13, 2020, 11:42 PM IST
ଭୁବନେଶ୍ୱର: ସାଢ଼େ ଚାରି କୋଟି ଓଡ଼ିଆଙ୍କ ହୃଦୟର ଗୀତ ‘ବନ୍ଦେ ଉତ୍କଳ ଜନନୀ’ ଏଣିକି ମାଧ୍ୟମିକ ସ୍ତରରେ ସ୍କୁଲ ପାଠ୍ୟକ୍ରମରେ ସ୍ଥାନ ପାଇବ । ନବମ ଓ ଦଶମ ଶ୍ରେଣୀରେ ପଢୁଥିବା ଛାତ୍ରଛାତ୍ରୀମାନେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କର ଏହି କାଳଜୟୀ କୃତି ପଢ଼ିବାର ଓ ଗାଇବାର ସୁଯୋଗ ପାଇବେ। ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଏ ସଂକ୍ରାନ୍ତରେ ସରକାରୀ ବିଜ୍ଞପ୍ତି ପ୍ରକାଶିତ ହୋଇଛି ।
ଏହି ପଦକ୍ଷେପ ଶିକ୍ଷାରେ ସଂସ୍କାର ଆଣିବା ତଥା ସ୍କୁଲ ଛାତ୍ରଛାତ୍ରୀଙ୍କୁ କଳା, ସଂସ୍କୃତି ଓ ଐତିହ ସମ୍ପର୍କରେ ଅବଗତ କରାଇବା ପାଇଁ ରାଜ୍ୟ ସରକାରଙ୍କ ଗଣ ଶିକ୍ଷା ବିଭାଗ ନେଇଚାଲିଥିବା ପଦକ୍ଷେପମାନଙ୍କ ମଧ୍ୟରୁ ଅନ୍ୟତମ । ନିକଟରେ ରାଜ୍ୟ ସରକାର ‘ବନ୍ଦେ ଉତ୍କଳ ଜନନୀ’ ଗୀତକୁ ରାଜ୍ୟ ଗୀତର ମାନ୍ୟତା ପ୍ରଦାନ କରିଛନ୍ତି । ମୁଖ୍ୟ ମନ୍ତ୍ରୀଙ୍କ ଅନୁରୋଧ କ୍ରମେ ଗତ ମଇ ୩୦ ତାରିଖରେ ସାରା ରାଜ୍ୟ ତଥା ସାରା ବିଶ୍ବର କୋଣ ଅନୁକୋଣରେ ଥିବା ଓଡ଼ିଆ ଭାଇଭଉଣୀମାନେ ଏହି ଗୀତକୁ ଏକ ସମୟରେ ଗାନ କରି ଏକ ଭାବମୟ ପରିବେଶ ସୃଷ୍ଟି କରିଥିଲେ ।
ଏହା ବି ପଢ଼ନ୍ତୁ | ମହିଳାମାନେ ଘରେ ବସି ଭଲ ଅର୍ଥ ରୋଜଗାର କରିପାରିବେ; ଜାଣନ୍ତୁ ଏହି ସବୁ ବିଜିନେସ୍ ଆଇଡିଆ

ଭଦ୍ରକ ଜିଲ୍ଲାରେ ଥିବା ଏକ ଆଦର୍ଶ ବିଦ୍ୟାଳୟ
ଶିକ୍ଷାରେ ଆଉ ଏକ ବଡ଼ ସଂସ୍କାରମୂଳକ ପଦକ୍ଷେପ ନେଇ ଗଣ ଶିକ୍ଷା ବିଭାଗ ଉତ୍କର୍ଷ ଓ ଆଦର୍ଶ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ମାଗଣାରେ ଅନଲାଇନ ଶିକ୍ଷାଦାନ କରିବାକୁ ଟିସିଏସ୍ (ଟାଟା କନସଲଟାନ୍ସୀ କମ୍ପାନୀ) ସହିତ ଏକ ଚୁକ୍ତିପତ୍ର ସ୍ବାକ୍ଷରିତ କରିଛି ।
ଏଣିକି ଉତ୍କର୍ଷ ବିଦ୍ୟାଳୟ ଓ ଆଦର୍ଶ ବିଦ୍ୟାଳୟଗୁଡ଼ିକରେ ହେବ ଡିଜିଟାଲ ଶିକ୍ଷାଦାନ । ଟିସିଏସ ସହ ରାଜ୍ୟ ଗଣ ଶିକ୍ଷା ବିଭାଗର ଚୁକ୍ତିପତ୍ର ଅନୁସାରେ ପ୍ରଥମ ପର୍ଯ୍ୟାୟରେ ୧୦୧ଟି ଉତ୍କର୍ଷ ଓ ୨୧୪ଟି ଆଦର୍ଶ ବିଦ୍ୟାଳୟରେ ଡିଜିଟାଲ କ୍ଳାସ ଆରମ୍ଭ ହେବ । ଟାଟା କନସଲାଟାନ୍ସୀ ଲିମିଟେଡ଼ ସିଏସଆର ତରଫରୁ ବିନା ମୂଲ୍ୟରେ ପାଠ ପଢ଼ାଯିବ। ଅନଲାଇନ ମାଧ୍ୟମରେ ଛାତ୍ରଛାତ୍ରୀମାନେ ପାଠପଢ଼ା, ଭିଡିଓ, ଗୃହପାଠ୍ୟ, ଡିବେଟ୍, କ୍ୱିଜ ଓ ସର୍ବେକ୍ଷଣ ଆଦି ବିଭିନ୍ନ ଶିକ୍ଷଣୀୟ କାର୍ଯ୍ୟ ଅନଲାଇନ ମାଧ୍ୟମରେ ଶିଖିପାରିବେ । ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ନିଜର ସୁବିଧା ଦେଖି ଦିନକୁ ୧ରୁ ୨ ଘଣ୍ଟା ସମୟ ଦେଇ ପାଠପଢ଼ା ଶେଷ କରିବେ।
ଏହା ବି ପଢ଼ନ୍ତୁ | Bihar Elections ଦେଖାଇ ଦେଲା ଯେଉଁ ସରକାର ଲୋକଙ୍କ ପାଇଁ କାମ କରେ ସେହି ସରକାର ପୁଣି ଜିତେ
‘‘କରୋନା କାଳରେ ଛାତ୍ରଛାତ୍ରୀମାନେ ଯେମିତି ପାଠପଢ଼ାରୁ ବଞ୍ଚିତ ନ ହୁଅନ୍ତି ସେଥି ପାଇଁ ରାଜ୍ୟ ସରକାର ସମସ୍ତ ବ୍ୟବସ୍ଥା କରୁଛନ୍ତି । ଆଜି ଆଦର୍ଶ ଓ ଉତ୍କର୍ଷ ବିଦ୍ୟାଳୟ ପାଇଁ ଡିଜିଟାଲ କ୍ଳାସରୁମ ନେଇ ଚୁକ୍ତିପତ୍ର ସ୍ବାକ୍ଷରିତ ହୋଇଛି,’’ କହିଛନ୍ତି ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।
ପୂର୍ବରୁ ବିଭିନ୍ନ ବିଦ୍ୟାଳୟ ଓ ଆଦର୍ଶ ବିଦ୍ୟାଳୟକୁ ମିଶାଇ ୧୦୧ଟି ସ୍କୁଲରେ ଅନଲାଇନ ଶିକ୍ଷାଦାନ ଚାଲୁରହିଛି । ଏହା ବ୍ୟତୀତ ଦୀକ୍ଷା ଓ ମଧୁ ଆପ୍ ଜରିଆରେ ବି ଭିଡିଓ ଓ ଅଡ଼ିଓ ଯୋଗେ ପିଲାମାନେ ପାଠ ପଢୁଛନ୍ତି । ଶିକ୍ଷା ସଂଯୋଗ କାର୍ଯ୍ୟକ୍ରମ ଜରିଆରେ ହ୍ଵାଟ୍ସଆପ ଜରିଆରେ ବି ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ପାଠ ପଢ଼ାଉଛନ୍ତି ।
ଅନଲାଇନ୍ ଶିକ୍ଷାଦାନ ପାଇଁ ବ୍ୟବହୃତ ଏହି ସମସ୍ତ ଉପାୟ ସତ୍ତ୍ୱେ ରାଜ୍ୟର ୬୦ ଲକ୍ଷ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨୨ ଲକ୍ଷ ଛାତ୍ରଛାତ୍ରୀ ଅନଲାଇନରେ ପାଠ ପଢୁଥିବା ବେଳେ ବାକି ୩୮ ଲକ୍ଷ ଛାତ୍ରଛାତ୍ରୀ ଏଥିରୁ ବଞ୍ଚିତ ହୋଇଥିବା ଜଣାପଡ଼ିଛି ।






