ଭୁବନେଶ୍ୱର: BMCରେ ପଶିଲା କରୋନା; BDA ପରେ ଏବେ ସିଲ୍ ହେଲା BMCର ଇଂଜିନିୟରିଂ ବିଭାଗ
କରୋନା ନିୟନ୍ତ୍ରଣ ପାଇଁ ବିଏମସି ପକ୍ଷରୁ ଜୋରଦାର ପ୍ରୟାସ ଚାଲିଛି । କିନ୍ତୁ ସ୍ଥିତି ବିଗିଡିବାରେ ଲାଗିଛି । ସୁରକ୍ଷା ଦୃଷ୍ଟିରୁ ଜୁଲାଇ ପହିଲାରୁ ବିଏମସି କାର୍ଯ୍ୟାଳୟରେ ସର୍ବସାଧାରଣଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଛି ।
ସଂକ୍ରମିତ ତିନି ଜଣ କର୍ମଚାରୀଙ୍କ କଣ୍ଟାକ୍ଟ ଟ୍ରେସିଂ ବର୍ତ୍ତମାନ ଚାଲିଛି।
- News18 Odia
- Last Updated: July 5, 2020, 5:09 PM IST
ଭୁବନେଶ୍ୱର: ରାଜଧାନୀରେ କରୋନା ମୁକାବିଲା କରୁଥିବା ବିଏମସି କାର୍ଯ୍ୟାଳୟ ଯାନ୍ତ୍ରିକ ବିଭାଗର ତିନି ଜଣ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଜଣେ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ଜଣେ ସହକାରୀ ଯନ୍ତ୍ରୀ ଓ ଜଣେ ଡ୍ରାଇଭର ଅଛନ୍ତି। ତେବେ ଡ୍ରାଇଭର ଜଣଙ୍କ ବିଏମସିର ନିୟମିତ କର୍ମଚାରୀ ନୁହନ୍ତି।
ନିକଟରେ ଏହି ତିନି ଜଣ ଅନ୍ୟ ଜିଲ୍ଲାକୁ ଗସ୍ତ କରିଥିଲେ। ପରେ ସେମାନଙ୍କ ମଧ୍ୟରେ ଲକ୍ଷଣ ଦେଖାଦେବାରୁ କୋଭିଡ ପରୀକ୍ଷଣ କରାଯାଇଥିଲା। ରିପୋର୍ଟ ପଜିଟିଭ ଆସିଛି। ତେଣୁ ସେମାନଙ୍କୁ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯିବା ସହ ବିଏମସି ଇଂଜିନିୟରିଂ ବିଭାଗକୁ ସିଲ କରାଯାଇଛି। ସାନିଟାଇଜେସନ ମଧ୍ୟ କରାଯାଇଥିବା ବିଏମସି ପକ୍ଷରୁ ସୂଚନା ମିଳିଛି।
‘‘ବର୍ତ୍ତମାନ କଣ୍ଟାକ୍ଟ ଟ୍ରେସିଂ ଚାଲିଛି। ଅନ୍ୟ କର୍ମଚାରୀ ବା ଯେଉଁମାନେ ପୂର୍ବରୁ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ ସେମାନଙ୍କୁ ହୋମ କ୍ଵରେଣ୍ଟାଇନରେ ରହିବାକୁ ନିର୍ଦେଶ ଦିଆଯାଇଛି। ସୁରକ୍ଷା ଦୃଷ୍ଟିରୁ କିଛି ଦିନ ପାଇଁ ଇଞ୍ଜିନିୟରିଂ ବିଭାଗକୁ ବନ୍ଦ ରଖିଛୁ,’’ କହିଛନ୍ତି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ।
ରାଜଧାନୀରେ କାୟା ମେଲାଇ ଚାଲିଛି କରୋନା ଭାଇରସ୍ । ଚାରି ଶହ ଟପିଲାଣି ଆକ୍ରାନ୍ତଙ୍କ ସଂଖ୍ୟା। ସେଥିରୁ ଅନେକ ସୁସ୍ଥ ହୋଇଥିବା ବେଳେ ଏବେ ବି ଦେଢ଼ ଶହରୁ ଅଧିକ ଆକ୍ଟିଭ କେସ ରହିଛି। ଛଅ ଜଣଙ୍କ ଜୀବନ ଗଲାଣି। ପ୍ରତି ଦିନ ସହରରେ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ମାର୍ଚ୍ଚରୁ ମେ ଶେଷ ସୁଦ୍ଧା ୬୫ଟି ପଜିଟିଭ ମାମଲା ଚିହ୍ନଟ ହୋଇଥିବା ବେଳେ କେବଳ ମେ ମାସରେ ୩୦୦ ଟପିଥିଲା ଆକ୍ରାନ୍ତଙ୍କ ସଂଖ୍ୟା।
ଏହା ବି ପଢ଼ନ୍ତୁ: ସୁଶାନ୍ତ ସିଂ ରାଜପୁତଙ୍କ ଭଉଣୀଙ୍କ ଭାବପ୍ରବଣ ପୋଷ୍ଟ୍: ‘‘ଆମେ ତତେ ସବୁ ଦିନ ଭଲ ପାଇବୁ
ଜୁଲାଇ ମାସରେ ଅର୍ଥାତ ଗତ ଚାରି ଦିନରେ ୯୦ ଛୁଇଁଛି ଭୁବନେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ସେଥରୁ ୨୦ରୁ ଅଧିକ ରହିଛନ୍ତି ସ୍ଥାନୀୟ ବାସିନ୍ଦା । ଏହା ଏବେ ସମସ୍ତଙ୍କ ପାଇଁ ଚିନ୍ତା ପାଲଟିଛି। ବିଶେଷ କରି ବସ୍ତିରେ ସଂକ୍ରମଣ ଅଧିକ ଦେଖିବାକୁ ମିଳିଛି। ରାଜଧାନୀରେ ୫୦୦ରୁ ଅଧିକ ବସ୍ତି ରହିଛି। ଏବେ ସୁଦ୍ଧା ୩୦ରୁ ଅଧିକ ବସ୍ତିକୁ କରୋନା ଭାଇରସ୍ ବ୍ୟାପି ସାରିଲାଣି। ଧୀରେ ଧୀରେ କରୋନା ଏବେ ଗୋଷ୍ଠୀ ସଂକ୍ରମଣ ଆଡକୁ ମୁଁହାଉଥିବା ଆଶଙ୍କା କରାଯାଉଛି।
ଏହା ବି ପଢ଼ନ୍ତୁ: ବିବାହିତ ଦମ୍ପତି ପିଲା ଚାହୁଁଥିଲେ, ହେଲେ ସେଥି ପାଇଁ ସେକ୍ସ କରିବାକୁ ହୁଏ ବୋଲି ଜାଣି ନ ଥିଲେ!
କରୋନା ନିୟନ୍ତ୍ରଣ ପାଇଁ ବିଏମସି ପକ୍ଷରୁ ଜୋରଦାର ପ୍ରୟାସ ଚାଲିଛି । କିନ୍ତୁ ସ୍ଥିତି ବିଗିଡିବାରେ ଲାଗିଛି । ସୁରକ୍ଷା ଦୃଷ୍ଟିରୁ ଜୁଲାଇ ପହିଲାରୁ ବିଏମସି କାର୍ଯ୍ୟାଳୟରେ ସର୍ବସାଧାରଣଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଛି । ଜନସାଧାରଣଙ୍କୁ ଅନଲାଇନରେ ସେମାନଙ୍କ ଅଭିଯୋଗ ଦାଖଲ କରିବାକୁ କୁହାଯାଇଛି। ଏଭଳି ସ୍ଥିତିରେ ବିଏମସିରେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ଏବେ କର୍ମଚାରୀଙ୍କ ନିଦ ହଜେଇଦେଇଛି ।






