ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଟ୍ୟୁସନ୍ ପଢ଼ିବାକୁ ଯାଇଥିବା ଜଣେ ୮ ବର୍ଷର ବାଳକକୁ ତା’ ଶିକ୍ଷକ ଅତି କଠୋର ଦଣ୍ଡ ଦେଇଛନ୍ତି । ପିଲାଟିର ହାତ ଗୋଟେ ତାରରେ ତା’ ପଛ ପଟେ ବାନ୍ଧି ତାକୁ ଗୋଟେ ବାଡ଼ିରେ ନିର୍ଦ୍ଦୟ ଭାବରେ ପିଟିଛନ୍ତି ।
ଏମିତି ପିଟିବା କାରଣରୁ ପିଲାଟିର ଗୋଡ଼, ପିଠି ଓ ଅଣ୍ଟାରେ ଗଭୀର ଆଘାତ ଲାଗିଛି । ତା’ ପରିବାରର ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପୋଲିସ ଅଭିଯୁକ୍ତ ଶିକ୍ଷକ ସଚିନ ଗୁପ୍ତାଙ୍କୁ ଗିରଫ କରିଛି ।
ସୂଚନା ଅନୁସାରେ ୮ ବର୍ଷୀୟ ଛାତ୍ର ସିଦ୍ଧାର୍ଥ ଓ ତା’ ଭଉଣୀ ଲକ୍ଷ୍ନୌର ଠାକୁରଗଞ୍ଜ ଥାନା ଅଞ୍ଚଳର ମାଲପୁରରେ ସଚିନ ଗୁପ୍ତାଙ୍କ ଟ୍ୟୁସନ୍ ପଢ଼ିବାକୁ ଯାଆନ୍ତି।
ସିଦ୍ଧାର୍ଥ ପାଠ ପଢ଼ାରେ ଟିକିଏ ଦୁର୍ବଳ । ସୋମବାର ଦିନ ପାଠ ପଢ଼ିବା ବେଳେ ଅଭିଯୁକ୍ତ ଶିକ୍ଷକ ସିଦ୍ଧାର୍ଥର ଦୁଇ ହାତକୁ ପଛ ପଟେ ଏକ ତାରରେ ବାନ୍ଧିଦେଇଥିଲେ ଓ ତାକୁ ନିର୍ଦ୍ଦୟ ଭାବରେ ଏକ ବାଡ଼ିରେ ପିଟିଥିଲେ ।
ପିଲାଟିର ମା’ ଗାୟତ୍ରୀ କହିଛନ୍ତି ଯେ ପିଲାଟି ପଢ଼ିବାରେ ଟିକିଏ ଦୁର୍ବଳ, କିନ୍ତୁ ତାକୁ ଏମିତି ଅମାନୁଷିକ ଭାବେ ପିଟାଯିବା ଉଚିତ୍ ନୁହେଁ ।