ମଧ୍ୟ ପ୍ରଦେଶର ବନ ମନ୍ତ୍ରୀ ବିଜୟ ଶାହା (Madhya Pradesh forest minister Vijay Shah) ଦୁଇ ଦିନିଆ ଗସ୍ତରେ ଖଣ୍ଡୱା ପହଞ୍ଚିଥିଲେ । ସେଠାରେ ମଧ୍ୟ ତାଙ୍କୁ ନିଜ ଭିନ୍ନ ଶୈଳୀରେ ଦେଖିବାକୁ ମିଳିଥିଲା ।
ମନ୍ତ୍ରୀ ମଞ୍ଚ ଉପରୁ ଭାଷଣ ଦେଉଥିବା ସମୟରେ ମନ୍ତ୍ରୀ ବିଜୟ ଶାହା ରୋହିଦାସ ନାମକ ଜଣେ ଯୁବକଙ୍କୁ ବଡ଼ ପାଟିରେ ଡାକିଲେ । ଜାତିରେ ବାରିକ ସେହି ଯୁବକ ମଞ୍ଚ ଉପରକୁ ଆସିବା ପରେ ମନ୍ତ୍ରୀ ତାକୁ ନିଜ ବାଳ କାଟିବା ପାଇଁ କହିଥିଲେ। ପ୍ରଥମେ ଯୁବକକୁ ଲାଜ ମାଡ଼ିଥିଲା, ହେଲେ ପରେ ସେ ମନ୍ତ୍ରୀଙ୍କ ଆଦେଶ ପାଳନ କରିବା ଆରମ୍ଭ କରିଥିଲା ।
ଯୁବକ ସେହି ସାଧାରଣ ସଭାର ମଞ୍ଚରେ ମନ୍ତ୍ରୀ ବିଜୟ ଶାହାଙ୍କ ବାଳ କାଟିଥିଲା । ମନ୍ତ୍ରୀ ଖୁସି ହୋଇଥିଲେ । ସେ ସଙ୍ଗେ ସଙ୍ଗେ ଯୁବକଙ୍କୁ ଷାଠିଏ ହଜାର ଟଙ୍କା ସାହାଯ୍ୟ ଦେଇଥିଲେ । ଆତ୍ମନିର୍ଭରଶୀଳ ହେବା ପାଇଁ ସେ ତାକୁ ଗୋଟିଏ ସେଲୁନ୍ ଖୋଲିବାକୁ ପରାମର୍ଶ ଦେଇଥିଲେ ।
ମନ୍ତ୍ରୀଙ୍କ ଏହି ଭିନ୍ନ ଶୈଳୀ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ବାସ୍ତବରେ ଏହି ଯୁବକ ଦୁଇ ମାସ ପୂର୍ବରୁ ଆତ୍ମନିର୍ଭରଶୀଳ ହେବା ପାଇଁ ତାକୁ ସାହାଯ୍ୟ କରିବାକୁ ମନ୍ତ୍ରୀଙ୍କୁ ଅନୁରୋଧ କରିଥିଲା । ମନ୍ତ୍ରୀ ତାକୁ ବାଳ କାଟିବା ତାଲିମ ନେବାକୁ ପରାମର୍ଶ ଦେଇଥିଲେ ।
କିଛି ଦିନ ପୂର୍ବେ ଜଙ୍ଗଲ ମନ୍ତ୍ରୀ ବିଜୟ ଶାହା ତାଙ୍କ ଅଞ୍ଚଳ ଖଣ୍ଡୱା ଭ୍ରମଣ କରିବାକୁ ଆସିଥିଲେ ଓ ସେଠାରେ ଥିବା ଜଙ୍ଗଲ ଭିତରେ ପଶି ବୁଲାବୁଲି କରିଥିଲେ ।
ମନ୍ତ୍ରୀଙ୍କ ଅଞ୍ଚଳରେ ଜଙ୍ଗଲରେ ବେଆଇନ ଭାବେ ଗଛ କାଟିବା, ଅତିକ୍ରମଣ ଓ ଜଙ୍ଗଲ କର୍ମଚାରୀମାନଙ୍କ ଉପରେ ଆକ୍ରମଣର ଖବର ଲଗାତର ଆସେ । ତାଲିଆଦାଦର ଜଙ୍ଗଲରେ ନିକଟରେ ବନ କର୍ମଚାରୀମାନେ ଜଙ୍ଗଲ ଭିତରେ ପହଞ୍ଚିବା ପରେ ସେମାନଙ୍କ ଉପରେ ଅତିକ୍ରମଣକାରୀମାନେ ମରଣାନ୍ତକ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ଜଙ୍ଗଲ ବିଭାଗର କେତେକ କର୍ମଚାରୀ ଆହତ ହୋଇଥିଲେ ।