ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଇରା କହିଛନ୍ତି, ‘‘ମୋତେ ୧୪ ବର୍ଷ ବୟସ ହୋଇଥିବା ବେଳେ ମୁଁ ଯୌନ ନିର୍ଯାତନାର ଶିକାର ହୋଇଥିଲି । ତାହା ଏକ ଅଜବ ପରିସ୍ଥିତି ଥିଲା । ସେ ବ୍ୟକ୍ତି କ’ଣ କରୁଛନ୍ତି ତାହା ସେ ନିଜେ ଜାଣିପାରୁଛନ୍ତି କି ନାହିଁ ତାହା ମୁଁ ଜାଣି ପାରୁ ନ ଥିଲି । ମୁଁ ସେ ବ୍ୟକ୍ତିଙ୍କୁ ଏକ ପ୍ରକାରେ ଜାଣିଥିଲି । ଏହି ଘଟଣା ପ୍ରତି ଦିନ ଘଟୁ ନ ଥିଲା ।’’
ଇରା ଖାନ ରବିବାର ଦିନ ୧୦ ମିନିଟର ଏକ ଭିଡିଓ ପୋଷ୍ଟ କରି କହିଛନ୍ତି, ‘‘ଏସବୁ ବୁଝିବାକୁ ମୋତେ ପ୍ରାୟ ବର୍ଷେ ଲାଗିଗଲା । ତା’ପରେ ମୁଁ ତୁରନ୍ତ ମୋ’ ପିତାମାତାଙ୍କୁ ଏକ ଇମେଲ୍ ଲେଖିଲି ଓ ନିଜକୁ ସେହି ପରିସ୍ଥିତିରୁ ମୁକ୍ତ କରାଇଲି ।’’
୨୩ ବର୍ଷୀୟା ଇରା କହିଛନ୍ତି ଯେ ସେହି ପରିସ୍ଥିତିରୁ ବାହାରକୁ ଆସିଯିବା ପରେ ଏବେ ଆଉ ତାଙ୍କୁ ସେହି ଘଟଣା ବିଷୟରେ ଖରାପ ଅନୁଭବ ହେଉ ନାହିଁ । ହେଲେ ସେ କହିଛନ୍ତି ଯେ ତାଙ୍କୁ ଏହା ଭାବି ରାଗ ଲାଗୁଛି ଯେ ସେ ନିଜେ ସେ ସବୁ କେମିତି ହେବାକୁ ଦେଲେ ।
ଇରା କହିଛନ୍ତି, ‘‘ମୁଁ ଭୟଭୀତ ହେବା ବନ୍ଦ କଲି । ମୁଁ ଅନୁଭବ କଲି ଯେ ସେହି ଘଟଣା ବର୍ତ୍ତମାନ ଆଉ ମୋ’ ସହ ଘଟୁ ନାହିଁ, ତାହା ସମାପ୍ତ ହୋଇଯାଇଛି ।’’
‘‘ମୁଁ ଆଗକୁ ବଢ଼ିଗଲି, ହେଲେ ସେହି ଘଟଣା ଏମିତି କିଛି ନୁହେଁ ଯାହା ମୋତେ ସାରା ଜୀବନ ଭୟଭୀତ କରିବ । ଆଉ ସେଇଟା ଏମିତି କିଛି ନୁହେଁ ଯାହା ମୁଁ ୧୮-୨୦ ବର୍ଷ ବୟସରେ ଯେମିତି ଅନୁଭବ କରୁଥିଲି ସେମିତି ଅନୁଭବ କରିବି,’’ କହିଛନ୍ତି ଇରା ।
ଇରା ଖାନ ଏ କଥା ବି କହିଛନ୍ତି ଯେ ତାଙ୍କ ପିତାମାତାଙ୍କ ମଧ୍ୟରେ ଛାଡ଼ପତ୍ର ବି ତାଙ୍କୁ ଆଘାତ ଦେଇ ନଥିଲା କାରାଣ ତାହା ସୌହାର୍ଦ୍ଧପୂର୍ଣ୍ଣ ଥିଲା ।
ଇରାଙ୍କ ବାପା ଆମୀର ଖାନ ଓ ମା’ ରୀନା ଦତ୍ତ ବିବାହର ୧୬ ବର୍ଷ ପରେ ୨୦୦୨ରେ ଅଲଗା ହୋଇଯାଇଥିଲେ । ସେମାନଙ୍କର ଜୁନୈଦ ଖାନ ନାମକ ଏକ ପୁଅ ବି ଅଛି । (ସବୁ ଫଟୋ ସୌଜନ୍ୟ: @khan.ira/Instagram)