ନୂଆ ଦିଲ୍ଲୀ: ପିଲା ଦିନରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ଆମେ ଲଗାତର ଇଂରାଜୀ କବିତାଟିଏ ଶୁଣିଆସୁଛୁ – ‘ଅର୍ଲି ଟୁ ବେଡ୍ ଆଣ୍ଡ୍ ଅର୍ଲି ଟୁ ରାଇଜ୍…’ । ଅର୍ଥାତ୍ ଶୀଘ୍ର ଶୋଇବା ଓ ଶୀଘ୍ର ଉଠିବା ଦ୍ୱାରା ଆମେ ସୁସ୍ଥ, ଧନୀ ଓ ଜ୍ଞାନୀ ହୋଇପାରିବା । ଏହି ଛୋଟ ଓ ଲୋକପ୍ରିୟ କବିତାଟି ପିଲାମାନଙ୍କୁ ଶୀଘ୍ର ଶୋଇବାକୁ ଓ ଶୀଘ୍ର ଉଠିବା ପାଇଁ ପ୍ରେରଣା ଦେବା ପାଇଁ ବ୍ୟବହୃତ ହୋଇଆସୁଛି । ଏହି ଉପଦେଶକୁ କେବଳ ଆମ ପିତାମାତା ନୁହେଁ, ଡାକ୍ତରମାନେ ବି ପାଳନ କରିବା ପାଇଁ ଆମକୁ ଉପଦେଶ ଦିଅନ୍ତି । କିନ୍ତୁ ଏବେ ଜଣା ପଡ଼ିଛି ଯେ ଏହି ଉପଦେଶ ବାସ୍ତବରେ ହିତକର ହୋଇ ନ ପାରେ ।
‘ଟାଇମ୍ସ ଅଫ୍ ଇଣ୍ଡିଆ’ରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ମେଡିକାଲ୍ ଜର୍ଣ୍ଣାଲ୍ ‘ସ୍ଲିପ୍ ମେଡିସିନ୍’ରେ ପ୍ରକାଶିତ ଏକ ଅଧ୍ୟୟନରେ କୁହାଯାଇଛି ଯେ ରାତି ୧୦ଟା ପୂର୍ବରୁ ଶୋଇପଡ଼ିବା ସ୍ୱାସ୍ଥ୍ୟ ପାଇଁ ବିପଦଜନକ ।
ଏହି ଅଧ୍ୟୟନ ଅନୁଯାୟୀ ରାତି ୧୦ଟା ପୂର୍ବରୁ ଶୋଇବାକୁ ବିଛଣାକୁ ଯିବା ଦ୍ୱାରା ହୃଦଘାତ ଓ ଷ୍ଟ୍ରୋକ୍ ହେବାର ଆଶଙ୍କା ବହୁତ ଅଧିକ ଥାଏ ।
ବାସ୍ତବରେ ରାତି ୧୦ଟି ପୂର୍ବରୁ ଶୋଇପଡ଼ିବା ମୃତ୍ୟୁକୁ ଆମନ୍ତ୍ରଣ କରିଥାଏ ବୋଲି ଏହି ଅଧ୍ୟୟନରୁ ଜଣାପଡ଼ିଛି । ହେଲେ ବିଳମ୍ବରେ ଶୋଇବା ଦ୍ୱାରା ମେଟାବୋଲିଜିମ୍ ଓ ଜୀବନଶଶୈଳୀ ସହିତ ଜଡି଼ତ ରୋଗ ହେବାର ଆଶଙ୍କା ବି ଥାଏ ।
ଏହି ଅଧ୍ୟୟନରୁ ସ୍ୱଷ୍ଟ ହୋଇଛି ଯେ ରାତି ୧୦ଟା ପୂର୍ବରୁ ଶୋଇବାର ଅଭ୍ୟାସ ଦ୍ୱାରା ହୃଦଘାତ ଓ ଷ୍ଟ୍ରୋକରେ ମୃତ୍ୟୁ ହେବାର ଆଶଙ୍କା ପ୍ରାୟ ୯% ବଢ଼ିଯାଇଥାଏ ।
ଏହି ଅଧ୍ୟୟନରେ ଲାଗିଥିବା ବୈଜ୍ଞାନିକମାନେ ‘ସ୍ଲିପ୍ ମେଡିସିନ୍’ ଜର୍ଣ୍ଣାଲରେ ଲେଖିଛନ୍ତି ଯେ ୨୧ଟିରୁ ଅଧିକ ଦେଶରେ ରାତି ୧୦ଟା ପୂର୍ବରୁ ଶୋଉଥିବା ଲୋକଙ୍କ ମଧ୍ୟରୁ ମୃତ୍ୟୁ ବରଣ କରିଥିବା ୫,୬୩୩ ଜଣ ଲୋକଙ୍କ ମୃତ୍ୟୁ ଘଟଣା ଓ ସ୍ୱାସ୍ଥ୍ୟ ଅବସ୍ଥାର ଅନୁସନ୍ଧାନ କରିବା ପରେ ଜଣାପଡି଼ଛି ଯେ ସେମାନଙ୍କ ମଧ୍ୟରୁ ୪,୩୪୬ ଜଣ ହୃଦଘାତ ଓ ଷ୍ଟ୍ରୋକ୍ କାରଣରୁ ହିଁ ଦୁନିଆରୁ ବିଦାୟ ନେଇଛନ୍ତି ।
ଏଥି ସହିତ ଏହି ଅଧ୍ୟୟନରେ ଏହା ବି ଜଣାପଡି଼ଛି ଯେ ମଧ୍ୟରାତ୍ରିରେ ଶୋଉଥିବା ଲୋକଙ୍କ ମଧ୍ୟରେ ଅନ୍ୟମାନଙ୍କ ତୁଳନାରେ ରୋଗ ଓ ମୃତ୍ୟୁ ହେବାର ଆଶଙ୍କା ୧୦% ବୃଦ୍ଧି ପାଇଥାଏ ।
ଏହି ବିଷୟରେ ଏହି ଅଧ୍ୟୟନର ଏକ ଅଂଶ ହୋଇଥିବା ଡକ୍ଟର ଭି. ମୋହନ୍ କହିଛନ୍ତି, ‘‘ଆମେ ସମସ୍ତେ ଜାଣୁ ଯେ ପ୍ରତି ଦିନ ଆଠ ଘଣ୍ଟା ଶୋଇବା ସମସ୍ତଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କିନ୍ତୁ ଶୀଘ୍ର ଓ ବିଳମ୍ବରେ ଶୋଇବା ପରିବର୍ତ୍ତେ ଠିକ୍ ସମୟରେ ଶୋଇବା ଉଚିତ ।’’
‘‘ଏହି ଅଧ୍ୟୟନ ସମୟରେ ଆମେ ଶୋଇବା ଓ ବିପଦଜନକ ସ୍ୱାସ୍ଥ୍ୟ ଅବସ୍ଥା ମଧ୍ୟରେ ଏକ U (ୟୁ) ଆକୃତି ଦେଖିଲୁ ଏବଂ ଜାଣିଲୁ ଯେ ଯେଉଁମାନେ ରାତି ୧୦ଟାରୁ ମଧ୍ୟରାତ୍ର ମଧ୍ୟରେ ଶୋଇବାକୁ ଯାଉଥିଲେ ସେମାନଙ୍କ ପାଇଁ ହୃଦଘାତ ଓ ଷ୍ଟ୍ରୋକର ବିପଦ ବହୁତ କମ୍ ରହିଥିଲା । ଏହି ବିପଦ ସେହି ଲୋକମାନଙ୍କ ପାଇଁ ମଧ୍ୟ କମ୍ ଥିଲା ଯେଉଁମାନେ ରାତି ୯ଟାରୁ ଗୋଟାଏ ମଧ୍ୟରେ ଶୋଇଥା’ନ୍ତି,’’ କହିଛନ୍ତି ଡଃ ମୋହନ ।