କୁମ୍ଭୀରକୁ ଆଖି ସାମନାରେ ଦେଖି କିଏ ନ ଡରେ? ଆଉ ଯଦି ସେହି କୁମ୍ଭୀର ଆପଣଙ୍କ ଧାନ ବିଲ ଭିତରେ ଆସି ଦେଖାଦିଏ ତେବେ ଡରିବା ତ ସାଧାରଣ କଥା । ଏମିତି ଏକ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲାରେ ।
ଗଞ୍ଜାମ ଜିଲ୍ଲା ଘୋଡ଼ାହାଡ଼ ଡ୍ୟାମରୁ କେନାଲ୍ ଯୋଗେ ଏହି କୁମ୍ଭୀରଟି ଦିଗପହଣ୍ଡିର ତଲାସିଙ୍ଗ ଗାଁର ଏକ ଚାଷ ଜମିକୁ ଚାଲି ଆସିଥିଲା।
ସ୍ଥାନୀୟ ଲୋକେ କୁମ୍ଭୀରକୁ ଦେଖି ଡରିଯାଇଥିଲେ (crocodile found in paddy field in Ganjam)। ସେମାନେ ଦିଗପହଣ୍ଡି ରେଞ୍ଜରଙ୍କୁ ଫୋନ ଯୋଗେ ଜଣାଇଥିଲେ । କିନ୍ତୁ ଦୀର୍ଘ ସମୟ ପରେ ବନବିଭାଗର କିଛି ତଳିଆ କର୍ମଚାରୀ ଗାଁରେ ପହଞ୍ଚିଥିଲେ ମଧ୍ୟ କୁମ୍ଭୀର ଉଦ୍ଧାର ପାଇଁ କୌଣସି ପଦକ୍ଷେପ ନେଇନଥିଲେ ।
ତେଣୁ ଲୋକେ ସାହସ କରି ବାଉଁଶ ଓ ଦଉଡ଼ି ସାହାଯ୍ୟରେ କୁମ୍ଭୀରଟିକୁ ବାନ୍ଧି ଦେଇଥିଲେ । ଏହା ଏକ ଦୁଃସାହସିକ କାମ ଥିଲା, ହେଲେ ଲୋକେ ନ ଡରି ତାହା କରିବାରେ ସମର୍ଥ ହୋଇଥିଲେ ।
ତା’ ପରେ ଅତ୍ୟନ୍ତ ବିପଦଜନକ ଅବସ୍ଥାରେ କୁମ୍ଭୀରଟିକୁ ଏକ ବାଇକରେ ନେଇ ପୁଣି ଘୋଡ଼ାହାଡ଼ ଡ୍ୟାମରେ ଛାଡିଥିଲେ ଗ୍ରାମବାସୀମାନେ ।
ଗ୍ରାମବାସୀ କୁମ୍ଭୀରକୁ ଉଦ୍ଧାର କରିଥିଲେ। ସବୁ ଠାରୁ ବଡ଼ କଥା ହେଲା ଯେ ବନ ବିଭାଗର କର୍ମଚାରୀମାନେ ଉପସ୍ଥିତ ଥିବା ସତ୍ତ୍ବେ ଗ୍ରାମବାସୀମାନେ କୁମ୍ଭୀରକୁ ଚାଷ ଜମିରୁ ଉଦ୍ଧାର କରି ବାଇକରେ ନେଇଥିଲେ ।