ଓଲିଉଡ୍ ଅଭିନେତା ସବ୍ୟସାଚୀ ମିଶ୍ର (Sabyasachi Mishra) ସୋମବାର ଦିନ ରାଜସ୍ଥାନର ଏକ ବିଳାସପୂର୍ଣ୍ଣ ରିସର୍ଟରେ ତାଙ୍କ ପରଦାର ପାର୍ଟନର୍ ଅର୍ଚିତା ସାହୁଙ୍କ (Archita Sahu) ସହ ବିବାହ ବନ୍ଧନରେ ବାନ୍ଧିହେଉଛନ୍ତି ।
ସିନେମା ପରଦାରେ ଅନେକ ହିଟ୍ ଫିଲ୍ମ ଦେଇଥିବା ଏହି ଲୋକପ୍ରିୟ ଷ୍ଟାର୍ ଯୋଡ଼ିଙ୍କ ରିଙ୍ଗ୍ ସେରିମନି ରବିବାର ରାତିରେ ଅନୁଷ୍ଠିତ ହୋଇଛି ।
ଦିଲ୍ଲୀ-ଜୟପୁର ରାଜପଥରେ ଥିବା ନେମ୍ରାନା ଫୋର୍ଟ ପ୍ୟାଲେସରେ ପ୍ରାୟ ୫୦ରୁ ୭୦ ଜଣ ଅତିଥିଙ୍କ ଉପସ୍ଥିତିରେ ଏହି ବିବାହ (Sabyasachi Archita wedding) ଅନୁଷ୍ଠିତ ହେବାକୁ ଯାଉଛି ।
ନିଜେ ସବ୍ୟସାଚୀ ଏହି ଖୁସି ଖବର (Sabyasachi Archita marriage) ମିଡି଼ଆ ପ୍ଲାଟଫର୍ମରେ ଶେୟାର୍ କରିଛନ୍ତି । ସେ ଲେଖିଛନ୍ତି, “ପ୍ରଭୁ ଜଗନ୍ନାଥ ଓ ଆମ ପରିବାରର ଆଶୀର୍ବାଦ ସହ ଆମେ ଏଇ ଖବର ବଡ଼ ଖୁସିରେ ଦେଉଛୁ ଯେ ଆମ ବାହାଘର ଆସନ୍ତାକାଲି ହେଉଛି ।”
“ଆପଣମାନେ ସମସ୍ତେ ଆମ ପରିବାରର ଏକ ଅବିଚ୍ଛେଦ୍ୟ ଅଙ୍ଗ । ଆମର ଭଲ ଓ ଖରାପ ସମୟରେ ଆପଣମାନେ ସବୁବେଳେ ଆମକୁ ନିଜ ପ୍ରେମ ଦେଇଛନ୍ତି । ଆମେ ଆମର ନୂଆ ଯାତ୍ରା ଆରମ୍ଭ କରିବା ପାଇଁ ଏହି ଏତେ ବଡ଼ ଦିନରେ ଆପଣଙ୍କୁ କେମିତି ଭୁଲି ପାରିବୁ? ଆମେ ଆପଣଙ୍କ ଶୁଭେଚ୍ଛା ଓ ଆଶୀର୍ବାଦ ଲୋଡ଼ୁଛୁ,’’ ନିଜ ପୋଷ୍ଟରେ ଲେଖିଛନ୍ତି ସବ୍ୟସାଚୀ ।
ଏହି ସଫଳ ଯୋଡ଼ିଙ୍କ ଫିଲ୍ମଗୁଡ଼ିକ ମଧ୍ୟରେ ଅଛନ୍ତି ‘ପିଲାଟା ବିଗିଡି଼ଗଲା’, ‘ମୁଁ ଏକା ତୁମର’, ‘ମୁଁ ସପନର ସୌଦାଗର’, 'ପାଗଳ କରିଛି ପାଉଞ୍ଜି ତୋ’ର’, ‘କୋଉ ଦୁନିଆ ରୁ ଆସିଲ ବନ୍ଧୁ’, ଓ ‘ତୋ’ର ମୋ’ର ଯୋଡି଼ ସୁନ୍ଦର’ ।