ନଭେମ୍ବର ୫ ସକାଳ ପ୍ରାୟ ୮ଟା ୧୨ ମିନିଟରେ ଜଣାପଡ଼ିଲା ପ୍ରବୀର ପ୍ରଧାନ ଆଉ ନାହାନ୍ତି । କରୋନାରେ ଆକ୍ରାନ୍ତ ହୋଇ ଗତ ଚାରି ଦିନ ଧରି ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ପ୍ରବୀର ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ ।
ମାତ୍ର ୩୫ ବର୍ଷ ବୟସ ହୋଇଥିଲା ପ୍ରବୀରଙ୍କୁ । ନ୍ୟୁଜ୧୮ ଓଡ଼ିଆର କ୍ରାଇମ୍ ରିପୋର୍ଟର ଭାବେ ଖୁବ୍ ଜନପ୍ରିୟ ଥିଲେ ପ୍ରବୀର ପ୍ରଧାନ ।
ତାଙ୍କ ଅକାଳ ମୃତ୍ୟୁର ଖବର ପ୍ରଚାରିତ ହେବା ମାତ୍ରେ ହସ୍ପିଟାଲ ଆଗରେ ପହଞ୍ଚିଯାଇଥିଲେ ତାଙ୍କର ଅନେକ ସାମ୍ବାଦିକ ସାଥୀ, ସହକର୍ମୀ ଓ ଶୁଭେଚ୍ଛୁମାନେ । ସମସ୍ତେ ହୋଇଯାଇଥିଲେ ଅବାକ୍ ।
ମିଡିଆ ବନ୍ଧୁଙ୍କ ସହ ରାଜନେତା, ସ୍ବେଚ୍ଛାସେବୀ ଓ ପୋଲିସ କର୍ମଚାରୀମାନେ ପହଞ୍ଚି ଜଣାଇଥିଲେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି । ସତ୍ୟନଗର ଶ୍ମଶାନରେ ସୃଷ୍ଟି ହୋଇଥିଲା ଶୋକାକୁଳ ପରିବେଶ ।
କ୍ରାଇମ୍ ରିପୋର୍ଟିଂରେ ପ୍ରବୀର ପ୍ରଧାନ ଥିଲେ ସିଦ୍ଧହସ୍ତ । ତାଙ୍କ ଏଭଳି ଦୁଃଖଦ ଅନ୍ତରେ ଭାଙ୍ଗି ପଡ଼ିଥିଲେ ତାଙ୍କ ସାଥୀ ରିପୋର୍ଟରମାନେ । ତାଙ୍କ ପରି କ୍ରାଇମ ରିପୋର୍ଟିଂ କରୁଥିବା ଆଲୋକ ମହାନ୍ତି, ଚନ୍ଦନ ପାଇକରାୟ, ରାଜେଶ ସାମନ୍ତରାୟ ଓ ଅନ୍ୟମାନେ ତାଙ୍କ ସହ ବିତାଇଥିବା ପ୍ରତିଟି ମୁହୂର୍ତ୍ତକୁ ମନେ ପକାଇ ଲୁହ ଛଳଛଳ ହୋଇଯାଇଥିଲେ ।
ସତ୍ୟନଗର ଶ୍ମଶାନରେ ପ୍ରବୀରଙ୍କର କରାଯାଇଥିଲା ଅନ୍ତିମ ସଂସ୍କାର । ମୁଖାଗ୍ନି ଦେଇଥିଲେ ତାଙ୍କ ଭିଣୋଇ କପିଳେନ୍ଦ୍ର ପ୍ରଧାନ ।
ସେଠାରେ ଆୟୋଜିତ ଏକ ଶୋକସଭାରେ ଉପସ୍ଥିତ ସମାଜର ବିଭିନ୍ନ ଧାରାର ବ୍ୟକ୍ତିମାନେ ସ୍ବର୍ଗତ ଆତ୍ମାର ସଦଗତି କାମନା କରିଥିଲେ ।
କ୍ରାଇମ ରିପୋର୍ଟର ଭାବେ ଖ୍ୟାତି ଅର୍ଜିଥିଲେ ପ୍ରବୀର । ତେଣୁ କମିଶନରେଟ୍ ପୋଲିସ ସହ ସେ ଯୋଡ଼ି ହୋଇ ରହିଥିଲେ । ପ୍ରବୀରଙ୍କ ବିୟୋଗରେ କମିଶନରେଟ ପୋଲିସ କାର୍ଯ୍ୟାଳୟରେ ଆୟୋଜନ କରାଯାଇଥିଲା ଏକ ଶୋକସଭା ।
ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀଙ୍କ ସହ ବହୁ ବରିଷ୍ଠ ପୋଲିସ ଅଧିକାରୀ ପ୍ରବୀରଙ୍କୁ ଉଦ୍ଦେଶ୍ୟରେ ଜଣାଇଥିଲେ ଶେଷ ଶ୍ରଦ୍ଧାଞ୍ଜଳି । ଶୋକସନ୍ତପ୍ତ ପରିବାରବର୍ଗ ପ୍ରତି ସମବେଦନା ଜଣାଇବା ସହ ସାହାଯ୍ୟ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଥିଲେ ପୋଲିସ କମିଶନର ।
ପ୍ରବୀର ପ୍ରଧାନଙ୍କ ଦେହାନ୍ତରେ ମିଡ଼ିଆ ଜଗତ ଜଣେ ନିଷ୍ଠାପର ଓ ନିର୍ଭୀକ ସାମ୍ବାଦିକଙ୍କୁ ହରାଇଲା ବୋଲି ଶୋକବାର୍ତ୍ତାରେ କହିଛନ୍ତି ଭୁବନେଶ୍ୱରର ବରିଷ୍ଠ ସାମ୍ବାଦିକ, ରାଜନେତା, ପୋଲିସ ଅଧିକାରୀ ଓ ବୁଦ୍ଧିଜୀବୀମାନେ ।
ମୂଳତଃ କ୍ରାଇମ୍ ରିପୋର୍ଟର ଥିଲେ ବି ବନ୍ୟା, ବାତ୍ୟା, ଦୁର୍ଘଟଣା ବା ଇଭେଣ୍ଟ ରିପୋର୍ଟିଂରେ ପ୍ରବୀର ଥିଲେ ସିଦ୍ଧହସ୍ତ । ପ୍ରତିକୂଳ ପରିସ୍ଥିତିକୁ ନ ଡରିବା ଥିଲା ତାଙ୍କ ସାମ୍ବାଦିକତାର ମନ୍ତ୍ର ।
କ୍ରାଇମ୍ ରିପୋର୍ଟିଂରେ ପ୍ରବୀର ଥିଲେ ଅପରାଜେୟ । ଜଣେ ଯୁବ ସାମ୍ବାଦିକ ଏତେ ନିର୍ଭୀକ, ପରିଶ୍ରମୀ ଓ ନିଷ୍ଠାପର ଭାବେ କର୍ତ୍ତବ୍ୟ କରିପାରନ୍ତି, ତାହା ସବୁ ମହଲକୁ କରୁଥିଲା ବିସ୍ମିତ । ତାଙ୍କ ପ୍ରତିଭା ଓ ପରାକାଷ୍ଠାକୁ ସମସ୍ତେ କରୁଥିଲେ ସଲାମ୍ ।
ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକର ଜାମୁଡୋଲିରେ ପ୍ରବୀର ପ୍ରଧାନଙ୍କ ଜନ୍ମ । ବାପା ପ୍ରଫୁଲ୍ଲ କୁମାର ପ୍ରଧାନ ଥିଲେ ଜଣେ ପୋଲିସ ଅଫିସର । ପୋଲିସ ପରିବାରରେ ବଢ଼ିଥିବା ପ୍ରବୀରଙ୍କର ପିଲା ବେଳୁ ଇଚ୍ଛା ଥିଲା ହେବେ ସାମ୍ବାଦିକ ।
୨୦୦୭ରେ ଭାରତୀୟ ଜନସଞ୍ଚାର ସଂସ୍ଥାନର (IIMC) ଢେଙ୍କାନାଳ ଶାଖାରୁ ସାମ୍ବାଦିକତାରେ ଡିପ୍ଲୋମା ହାସଲ କରିବା ପରେ ପେଶାଦାର ସାମ୍ବାଦିକତା କ୍ଷେତ୍ରରେ ପାଦ ଥାପିଥିଲେ ପ୍ରବୀର । ପ୍ରତିଷ୍ଠିତ ଖବରକାଗଜ ‘ଧରିତ୍ରୀ’ରୁ ଆରମ୍ଭ କରିଥିଲେ ନିଜ କରିଅର ।
କ୍ରାଇମ ରିପୋର୍ଟିଂରେ ରୁଚି ରଖିଥିବା ପ୍ରବୀର ଆରମ୍ଭରୁ ଦେଖାଇଥିଲେ ଦକ୍ଷତା । ଚାରି ବର୍ଷ ଧରି ‘ଧରିତ୍ରୀ’ରେ ରିପୋର୍ଟିଂ ପରେ ପ୍ରିଣ୍ଟ୍ ମିଡିଆରୁ ଇଲେକ୍ଟ୍ରୋନିକ ମିଡିଆକୁ ଆସିଥିଲେ ସେ । ୨୦୧୧ରେ ଈଟିଭିରେ ଯୋଗ ଦେଇଥିଲେ ।
ପ୍ରବୀରଙ୍କୁ ଅଧିକ ପରିଚିତି ମିଳିଥିଲା ତା’ର ତିନି ବର୍ଷ ପରେ ଅର୍ଥାତ୍ ୨୦୧୪ରେ । ଯେତେବେଳେ ସେ ଈଟିଭି ଛାଡ଼ି ଯୋଗ ଦେଇଥିଲେ ସେତେବେଳର ନୂଆ ଟିଭି ଚ୍ୟାନେଲ୍ ‘ଜୀ କଳିଙ୍ଗ’ରେ ।
ଯେଉଁ ସମୟରେ ଚିଟ୍ ଫଣ୍ଡ୍ ଘୋଟାଲାକୁ ନେଇ ସାରା ରାଜ୍ୟରେ ସୃଷ୍ଟି ହୋଇଥିଲା ଆଲୋଡ଼ନ, ସେତେବେଳେ ପ୍ରବୀର ଦେଖାଇଥିଲେ ତାଙ୍କ ରିପୋର୍ଟିଂର କମାଲ୍ ।
ଚିଟ୍ ଫଣ୍ଡ୍ ସଂସ୍ଥାର ମୁଖ୍ୟଙ୍କ ସହ ରାଜନେତାଙ୍କ ଲିଙ୍କର ଗୁମର ଖୋଲିଥିଲେ ପ୍ରବୀର । ସିବିଆଇ ଜେରା ବେଳେ କରିଥିଲେ ନିରବଚ୍ଛିନ୍ନ ରିପୋର୍ଟିଂ ।
ବାତ୍ୟା ରିପୋର୍ଟିଂରେ ଅନ୍ୟ ଚ୍ୟାନେଲର ରିପୋର୍ଟରଙ୍କୁ ମାତ୍ ଦେବାରେ ପ୍ରବୀର ଥିଲେ ସିଦ୍ଧହସ୍ତ । ପ୍ରଚଣ୍ଡ ପବନ ଓ ଭୀଷଣ ବର୍ଷାକୁ ବେଖାତିର କରି ସେ କରୁଥିଲେ ରିପୋର୍ଟିଂ ।
ଜୀ କଳିଙ୍ଗ ଛାଡ଼ି ୨୦୧୫ ମଧ୍ୟ ଭାଗରେ ନୂଆ ରୂପରେ ଆରମ୍ଭ ହୋଇଥିବା ଈଟିଭି ନ୍ୟୁଜ ଓଡ଼ିଆରେ ଯୋଗ ଦେଇଥିଲେ ପ୍ରବୀର । ସେହି ଈଟିଭି ନ୍ୟୁଜ୍ ଓଡ଼ିଆ ପରେ ନ୍ୟୁଜ୧୮ ଓଡ଼ିଆରେ ପରିବର୍ତ୍ତିତ ହୋଇଥିଲା ।
୨୦୧୫ରୁ ୨୦୨୦ ଚାରି ବର୍ଷ ମିସାଲ୍ ବନିଥିଲା ପ୍ରବୀର ପ୍ରଧାନଙ୍କ ରିପୋର୍ଟିଂ ପାଇଁ । ତାଙ୍କ ରିପୋର୍ଟିଂର ଷ୍ଟାଇଲ୍ ଥିଲା ସ୍ବତନ୍ତ୍ର ।
ବିଗ୍ ନ୍ୟୁଜ୍, ବ୍ରେକିଂ ନ୍ୟୁଜ୍, ଏକ୍ସକ୍ଲୁସିଭ୍ ଓ ସ୍ପେଶାଲ ରିପୋର୍ଟ କରିବାରେ ପ୍ରବୀର ଥିଲେ ପ୍ରବୀଣ । ଖବରର ଫଲୋଅପ୍ ଓ ସିରିଜ୍ କରିବା ଥିଲା ପ୍ରବୀରଙ୍କ ରିପୋର୍ଟିଂର ସ୍ବତନ୍ତ୍ରତା ।
ନ୍ୟଜ୍୧୮ ଓଡ଼ିଆର ଏହି ଡିଜିଟାଲ୍ ପ୍ଲାଟଫର୍ମ ପାଇଁ ପ୍ରବୀର ଲେଖିଚାଲିଥିଲେ ଗୋଟିଏ ପରେ ଗୋଟିଏ ତଥ୍ୟପୂର୍ଣ୍ଣ, ଗଭୀର ଓ ଲମ୍ବା ରିପୋର୍ଟ । ସେ ଅନେକ ସମୟରେ ଏକ୍ସକ୍ଲୁସିଭ୍ ରିପୋର୍ଟ୍ ଲେଖୁଥିଲେ ।
ସୁର-ସାରଥୀଙ୍କ ଦୁର୍ନୀତିର ସାମ୍ରାଜ୍ୟ ଭିତରେ ପଶି ଘଣ୍ଟାଚକଟା କରିଥିବା ଏହି ଯୁବ ତଥା ସାହସୀ ସାମ୍ବାଦିକଙ୍କୁ ମିଳିଥିଲା ଅନେକ ପ୍ରଶଂସା, ପୁରସ୍କାର ଓ ସମ୍ମାନ ।
ଅନୁସନ୍ଧାନମୂଳକ ସାମ୍ବାଦିକତା ପାଇଁ IIMC ପୁରାତନ ଛାତ୍ର ସଙ୍ଘ ପକ୍ଷରୁ ସର୍ବଭାରତୀୟ ସ୍ତରରେ ଶ୍ରେଷ୍ଠ ରିପୋର୍ଟର ଭାବେ ପୁରସ୍କୃତ ହୋଇଥିଲେ ପ୍ରବୀର ।
ସାରା ଓଡ଼ିଶାରେ ଛାଇ ଯାଇଥିବା ଏହି ଯୁବ ରିପୋର୍ଟରଙ୍କ ଦୀର୍ଘ ୧୩ ବର୍ଷର ସାମ୍ବାଦିକତା କରିଅରରେ ପଡ଼ିଛି ଏକ ନିର୍ମମ ପୂର୍ଣ୍ଣଚ୍ଛେଦ ।
କୋଭିଡ୍ ମହାମାରୀ ଭିତରେ ନିରବଚ୍ଛିନ୍ନ ରିପୋର୍ଟିଂ କରିଥିବା ଏହି କୋଭିଡ୍ ଯୋଦ୍ଧାଙ୍କୁ ଶେଷରେ ଛଡ଼େଇ ନେଇଛି କୋଭିଡ୍ ।
ସାମ୍ବାଦିକତା ଜଗତରେ ଓ ବାହାରେ ତାଙ୍କ ବନ୍ଧୁମାନେ କହନ୍ତି ପ୍ରବୀର ଜଣେ ସାଦାସିଦା ଓ ଖୁସ୍-ମିଜାଜୀ ବ୍ୟକ୍ତି ଥିଲେ ।