WI vs BAN: ୱେଷ୍ଟଇଣ୍ଡିଜ୍ ରଚିଲା ଇତିହାସ; ୩୯୫ ରନ୍ ସ୍କୋର କରି ଟେଷ୍ଟ ମ୍ୟାଚ୍ ଜିତିଲା
West Indies vs Bangladesh: ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚରେ ୱେଷ୍ଟଇଣ୍ଡିଜ୍ ୩୯୫ ରନର ଲକ୍ଷ୍ୟକୁ ହାସଲ କରି ଏକ ଇତିହାସ ସୃଷ୍ଟି କରିଛି । ଟେଷ୍ଟ ଇତିହାସରେ ଏହା କେବଳ ପଞ୍ଚମ ଥର ଯେତେବେଳେ ଗୋଟିଏ ଦଳ ୩୯୫ କିମ୍ବା ତା’ଠାରୁ ଅଧିକ ରନର ଲକ୍ଷ୍ୟ ହାସଲ କରିଛି ।
ୱେଷ୍ଟଇଣ୍ଡିଜ୍ ରଚିଲା ଇତିହାସ
- News18 Odia
- Last Updated: February 7, 2021, 5:22 PM IST
ନୂଆ ଦିଲ୍ଲୀ: ୱେଷ୍ଟଇଣ୍ଡିଜ୍ ନିଜର ସୁନ୍ଦର ଖେଳ ସହିତ ଇତିହାସ ସୃଷ୍ଟି କରିଛି । ପ୍ରଥମ ଟେଷ୍ଟ ମ୍ୟାଚରେ ଆୟୋଜକ ବାଂଲାଦେଶ ଦେଇଥିବା ୩୯୫ ରନ୍ର ଲକ୍ଷ୍ୟକୁ ହାସଲ କରି ଏକ ଐତିହାସିକ ବିଜୟ ରେକର୍ଡ କରିଛି । ଟେଷ୍ଟ ଇତିହାସରେ ଏହା କେବଳ ପଞ୍ଚମ ଥର ଯେତେବେଳେ ଗୋଟିଏ ଦଳ ୩୯୫ କିମ୍ବା ତା’ଠାରୁ ଅଧିକ ଲକ୍ଷ୍ୟକୁ ହାସଲ କରିଛି । ୱେଷ୍ଟଇଣ୍ଡିଜ୍ ବିଜୟର ହିରୋ ଥିଲେ କାଇଲ୍ ମାୟର୍ସ । ସେ ୨୧୦ ରନର ଅପରାଜିତ ଇନିଂସ ଖେଳିଥିଲେ । ଏହା କାଇଲ୍ ମେୟରଙ୍କ ପ୍ରଥମ ଟେଷ୍ଟ ମ୍ୟାଚ୍ ଥିଲା । ସେ ପ୍ରଥମ ଟେଷ୍ଟ ମ୍ୟାଚରେ ଦ୍ୱିଶତକ ହାସଲ କରି ନିଜକୁ କିମ୍ବଦନ୍ତୀ କ୍ରିକେଟରଙ୍କ କ୍ଲବରେ ସାମିଲ କରିଛନ୍ତି ।
ପାହାଡ଼ ପରି ଲକ୍ଷ୍ୟକୁ ପିଛାକରି ୱେଷ୍ଟଇଣ୍ଡିଜ୍ ଏକ ଭଲ ଆରମ୍ଭ କରି ପାରି ନ ଥିଲା । ଦଳ ମାତ୍ର ୫୯ ରନରେ ନିଜର ତିନୋଟି ୱିକେଟ୍ ହରାଇଥିଲା । ଯେତେବେଳେ ବିଜୟ ଅସମ୍ଭବ ମନେ ହେଲା ସେହି ସମୟରେ କାଇଲ୍ ମେରେସ୍ ଓ ଏ ବୋନରଙ୍କ ଯୋଡି ଆଶା ସଂଚାର କରିଥିଲା । ଏହି ଦୁହେଁ ୨୧୬ ରନ୍ ଭାଗିଦାରୀ କରି ନିଜ ଦଳକୁ ବିଜୟ ଟ୍ରାକକୁ ଆଣିଥିଲେ । ବୋନର୍ ଆଉଟ୍ ହେବା ବେଳକୁ ୱେଷ୍ଟଇଣ୍ଡିଜ୍ ୨୭୫ ରନ୍ ସଂଗ୍ରହ କରିଥିଲା ।
ବୋନରଙ୍କ ଆଉଟ ହୋଇଯବା ସତ୍ତ୍ୱେ ୨୮ ବର୍ଷୀୟ କାଇଲ୍ ମେରେସ୍ ନିଜର ପ୍ରାକୃତିକ ଖେଳ ଜାରି ରଖିଥିଲେ । ସେ ଚାପରେ ଆସିବା ପରିବର୍ତ୍ତେ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରିଥିଲେ । ବାରବାଡୋସ୍ ଖେଳାଳି ମାତ୍ର ୩୧୦ ବଲରେ ୨୧୦ ରନ୍ ସଂଗ୍ରହ କରି ୨୦ ଟି ଚୌକା ଓ ୭ ଟି ଛକା ମାରିଥିଲେ । ତାଙ୍କ ଏହି ଇନିଂସ ଯୋଗୁଁ ୱେଷ୍ଟଇଣ୍ଡିଜ୍ ୧୫ ଟି ବଲ ବାକି ରହି ୩ ୱିକେଟରେ ଏହି ମ୍ୟାଚ୍ ଜିତି ନେଇଥିଲା ।
ଟେଷ୍ଟ କ୍ରିକେଟରେ ଏହା ଏକ ପଞ୍ଚମ ବୃହତ୍ତମ ବିଜୟ । ସବୁଠୁ ବଡ଼ ବିଜୟର ରେକର୍ଡ ୱେଷ୍ଟଇଣ୍ଡିଜ୍ ନାମରେ ମଧ୍ୟ ରହିଛି । ସେ ୨୦୦୩ ରେ ଅଷ୍ଟ୍ରେଲିଆ ବିପକ୍ଷରେ ୪୧୮ ରନ୍ ଲକ୍ଷ୍ୟ ହାସଲ କରି ଜିତିଥିଲା । ଦକ୍ଷିଣ ଆଫ୍ରିକା, ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟ ଥରେ ଲେଖାଏଁ ୪୦୦ ରୁ ଅଧିକ ସ୍କୋରର ଲକ୍ଷ୍ୟ ହାସଲ କରିଛନ୍ତି ।






