ICC Test Rankings: ବିରାଟ କୋହଲିଙ୍କୁ ବଡ଼ ଝଟକା; ଜୋ ରୁଟ୍ ୪ ବର୍ଷ ପରେ ଟେଷ୍ଟ୍ ମାନ୍ୟତାରେ ପଛରେ ପକାଇଲେ
ଜୋ ରୁଟ୍ (Joe Root) ଚେନ୍ନାଇରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ଦ୍ୱିଶତକ ସ୍କୋର କରିଥିଲେ । ଏହା ପରେ ସେ ଆଇସିସି ଟେଷ୍ଟ ମାନ୍ୟତାରେ ୩ ନମ୍ବର ସ୍ଥାନରେ ପହଞ୍ଚିଥିବାବେଳେ ବିରାଟ କୋହଲି ପଞ୍ଚମ ସ୍ଥାନକୁ ଖସି ଆସିଛନ୍ତି ।
ବିରାଟ କୋହଲିଙ୍କୁ ବଡ଼ ଝଟକା
- News18 Odia
- Last Updated: February 10, 2021, 3:23 PM IST
ନୂଆ ଦିଲ୍ଲୀ: ଚେନ୍ନାଇ ଟେଷ୍ଟରେ ଟିମ୍ ଇଣ୍ଡିଆର ପରାଜୟ ପରେ ବିରାଟ କୋହଲିଙ୍କୁ ଆଉ ଏକ ବଡ଼ ଝଟକା ଲାଗିଛି । ଆଇସିସି ଟେଷ୍ଟ ମାନ୍ୟତାରେ ବିରାଟ କୋହଲି ପଞ୍ଚମ ସ୍ଥାନକୁ ଖସି ଆସିଛନ୍ତି । ଏଥି ସହିତ ଚେନ୍ନାଇ ଟେଷ୍ଟର ପ୍ରଥମ ଇନିଂସରେ ଦ୍ୱିଶତକ ହାସଲ କରିଥିବା ଜୋ ରୁଟ୍ ଦୁଇଟି ସ୍ଥାନ ଡେଇଁ ତୃତୀୟ ନମ୍ବର ସ୍ଥାନ ହାସଲ କରିଛନ୍ତି । ଜୋ ରୁଟ୍ ବର୍ତ୍ତମାନ ୮୮୩ ରେଟିଂ ପଏଣ୍ଟରେ ପହଞ୍ଚିଛନ୍ତି । ଯାହା ୨୦୧୭ ଠାରୁ ତାଙ୍କର ସର୍ବୋତ୍ତମ ପ୍ରଦର୍ଶନ ଅଟେ । ଭାରତୀୟ ଉପମହାଦେଶରେ ଖେଳାଯାଇଥିବା ତିନିଟି ଟେଷ୍ଟ ମ୍ୟାଚରେ ଜୋ ରୁଟ୍ ୬୮୪ ରନ୍ ସଂଗ୍ରହ କରିଛନ୍ତି । ଶ୍ରୀଲଙ୍କା ବିପକ୍ଷ ଦୁଇଟି ଟେଷ୍ଟ ମ୍ୟାଚରେ ଜୋ ରୁଟ୍ ଗୋଟିଏ ଶତକ ଓ ଗୋଟିଏ ଦ୍ୱିଶତକ ହାସଲ କରିଥିଲେ ।
ଋଷଭ ପନ୍ତ ଓ ଶୁଭମାନ ଗିଲ ର଼୍ୟାଙ୍କିଙ୍ଗ୍
ଚେନ୍ନାଇ ଟେଷ୍ଟର ପ୍ରଥମ ଇନିଂସରେ ୯୧ ରନ୍ ସ୍କୋର କରିଥିବା ଋଷଭ ପନ୍ତ ୧୩ ନମ୍ବରରେ ରହିଛନ୍ତି । ଏହା ବ୍ୟତୀତ ଶୁଭମାନ ଗିଲ ଦ୍ୱିତୀୟ ଇନିଂସରେ ଅର୍ଦ୍ଧଶତକ କରିଥିବାରୁ ୭ ଅଙ୍କ ଉପରକୁ ଉଠି ୪୦ ତମ ସ୍ଥାନ ହାସଲ କରିଛନ୍ତି ।
ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ୧୦ ଟି ୱିକେଟ୍ ନେଇଥିବା ହାସନ ଅଲି ୨୧ ଟି ସ୍ଥାନକୁ ଡେଇଁ ଆଇସିସି ଟେଷ୍ଟ ମାନ୍ୟତାରେ ଚମତ୍କାର ପ୍ରଦର୍ଶନ କରିଛନ୍ତି । ହାସନ ଅଲି ୨ ବର୍ଷ ପରେ ଟେଷ୍ଟ ମ୍ୟାଚକୁ ଫେରିଥିଲେ ଓ ବର୍ତ୍ତମାନ ସେ ୩୨ ନମ୍ବରରେ ପହଞ୍ଚିଛନ୍ତି । ପାକିସ୍ତାନର ୱିକେଟ୍ କିପର ମହମ୍ମଦ ରିଜୱାନ୍ ମଧ୍ୟ ୧୬ ନମ୍ବର ସ୍ଥାନରେ ରହି ନିଜ କରିୟରର ଶ୍ରେଷ୍ଠ ମାନ୍ୟତା ହାସଲ କରିଛନ୍ତି । ପାକିସ୍ତାନ ଅଧିନାୟକ ବାବର ଆଜମ ଚେତେଶ୍ୱର ପୂଜାରାଙ୍କୁ ପଛରେ ପକାଇଛନ୍ତି ।
ଆଇସିସି ଟେଷ୍ଟ୍ ମାନ୍ୟତା (ବ୍ୟାଟ୍ସମ୍ୟାନ୍)
ପ୍ରଥମ ସ୍ଥାନରେ ରହିଛନ୍ତି କେନ୍ ୱିଲିୟମ୍ସନ୍, ଦ୍ୱିତୀୟରେ ଷ୍ଟିଭ୍ ସ୍ମିଥ୍, ତୃତୀୟ ସ୍ଥାନରେ ଜୋ ରୁଟ୍, ଚତୁର୍ଥରେ ମାର୍ନସ୍ ଲାବୁଶେନ୍, ପଞ୍ଚମରେ ଭାରତୀୟ ଅଧିନାୟକ ବିରାଟ କୋହଲି, ଷଷ୍ଠ ନମ୍ବରରେ ବାବର ଆଜମ, ସପ୍ତମ ନମ୍ବରରେ ଚେତେଶ୍ୱର ପୂଜାରା, ଅଷ୍ଟମ ନମ୍ବରରେ ହେନେରୀ ନିକୋଲ୍ସ, ନବମ ସ୍ଥାନରେ ବେନ ଷ୍ଟୋକ୍ସ ଓ ଦଶମ ସ୍ଥାନରେ ଡେଭିଡ ୱାର୍ଣ୍ଣର ରହିଛନ୍ତି ।
ଆଇସିସି ଟେଷ୍ଟ୍ ମାନ୍ୟତା (ବୋଲର)
ବିଶ୍ୱର ପ୍ରଥମ ନମ୍ବର ବୋଲର ହେଉଛନ୍ତି ପ୍ୟାଟ୍ କମିନ୍ସ । ଷ୍ଟୁଆର୍ଟ ବ୍ରଡ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ଜେମ୍ସ ଆଣ୍ଡରସନ ଅଛନ୍ତି । ଚତୁର୍ଥରେ ନିଲ୍ ୱାଗନର୍, ପଞ୍ଚମରେ ଜୋସ୍ ହାଜଲେଉଡ୍, ଷଷ୍ଠରେ ଟିମ୍ ସାଉଥ୍, ସପ୍ତମ ସ୍ଥାନରେ ଆର ଅଶ୍ୱିନ୍, ଅଷ୍ଟମରେ ଜସପ୍ରୀତ ବୁମ୍ରା, ନବମ ସ୍ଥାନରେ କାଗିସୋ ରାବାଡା ଓ ଦଶମ ସ୍ଥାନରେ ଜେସନ ହୋଲ୍ଡର ରହିଛନ୍ତି ।






