ରାଜ୍ୟରେ କରୋନା ନେଲା ଆଉ ୬ ଜଣଙ୍କ ଜୀବନ; ମୋଟ ମୃତକ ୧୧୪; ପୁଣି ୧,୨୬୪ ନୂଆ ମାମଲା ଚିହ୍ନଟ
ଛଅ ଜଣ ମୃତକଙ୍କ ମଧ୍ୟରୁ କେବଳ ଗଞ୍ଜାମରୁ ଅଛନ୍ତି ୫ ଜଣ । ଗଞ୍ଜାମରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୬୭କୁ ବୃଦ୍ଧି ପାଇଛି । ନୂଆ ୧,୨୬୪ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୮୪୭ ଜଣ ଅଛନ୍ତି । ବାକି ୪୧୭ ଜଣ ସ୍ଥାନୀୟ ବାସିନ୍ଦା ।
(ପ୍ରତୀକାତ୍ମକ ଛବି)
- News18 Odia
- Last Updated: July 23, 2020, 2:26 PM IST
ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣରେ ଆଉ ୬ ଜଣଙ୍କ ଜୀବନ ଯାଇଛି । ଏହାକୁ ମିଶାଇ ରାଜ୍ୟରେ କରୋନାରେ ମୃତ୍ୟୁ ସଂଖ୍ୟା ସଂଖ୍ୟା ୧୧୪ ରେ ପହଞ୍ଚିଛି । ଗତ ୨୪ ଘଣ୍ଟାରେ ୨୭ ଜିଲ୍ଲାରୁ ଆଉ ୧,୨୬୪ ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି, ଯାହା ରାଜ୍ୟ ପାଇଁ ଏକ ରେକର୍ଡ଼ ।
ଛଅ ଜଣ ମୃତକଙ୍କ ମଧ୍ୟରୁ କେବଳ ଗଞ୍ଜାମରୁ ଅଛନ୍ତି ୫ ଜଣ । ଏଥି ସହ ଗଞ୍ଜାମରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୬୭କୁ ବୃଦ୍ଧି ପାଇଛି । ଖୋର୍ଦ୍ଧାରେ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ମୋଟ ମୃତ୍ୟୁ ସଂଖ୍ୟା ୧୫ରେ ପହଞ୍ଚିଛି । ସେଠାରେ ମୃତ୍ୟୁ ବରଣ କରିଥିବା ୮୬ ବର୍ଷୀୟା ମହିଳା ପୁର୍ବରୁ ମଧୁମେହ ରୋଗରେ ପୀଡ଼ିତ ଥିଲେ ।
ଗଞ୍ଜାମ ଜିଲ୍ଲାର ପାଞ୍ଚ ଜଣ ମୃତକ ୪୧ ବର୍ଷୀୟ ପୁରୁଷ, ୫୧ ବର୍ଷୀୟ ମହିଳା, ୬୯ ବର୍ଷୀୟ ପୁରୁଷ, ୫୭ ବର୍ଷର ପୁରୁଷ ଓ ୬୩ ବର୍ଷୀୟ ପୁରୁଷ ଥିଲେ ବୋଲି ସୂଚନା ମିଳିଛି । ୪୧ ବର୍ଷୀୟ ପୁରୁଷ ଓ ୬୩ ବର୍ଷୀୟ ପୁରୁଷ ହାଇପର ଟେନସନ ରୋଗରେ ଆକ୍ରାନ୍ତ ଥିଲେ । ୫୧ ବର୍ଷୀୟା ମହିଳା ମଧୁମେହ ରୋଗରେ ପୀଡ଼ିତ ଥିଲେ । ୫୭ ବର୍ଷର ଜଣେ ପୁରୁଷ ଉଭୟ ହାଇପରଟେନସର ଓ ମଧୁମେହ ରୋଗରେ ପୀଡିତ ଥିଲେ । ୬୯ ବର୍ଷୀୟ ପୁରୁଷ ଆକ୍ରାନ୍ତଙ୍କ ଠାରେ କୌଣସ ପୁରୁଣା ରୋଗ ନ ଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ରାଜ୍ୟରେ କରୋନା ସଂକ୍ରମଣର ତାଜା ସ୍ଥିତିର ମ୍ୟାପ୍
ଆଜିର ନୂଆ ୧,୨୬୪ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୮୪୭ ଜଣ ଚିହ୍ନଟ ହୋଇଛନ୍ତି । ବାକି ୪୧୭ ଜଣ ଆକ୍ରାନ୍ତ ସ୍ଥାନୀୟ ବାସିନ୍ଦା । ଏଥି ସହ ରାଜ୍ୟରେ ମୋଟ୍ ପଜିଟିଭ୍ ସଂଖ୍ୟା ୨୧,୦୯୯ କୁ ବୃଦ୍ଧି ହୋଇଛି । କିପରି ସ୍ଥାନୀୟ ସଂକ୍ରମଣ କମିବ ତାହା ସରକାରଙ୍କ ପାଇଁ ଚିନ୍ତାର ବିଷୟ ହୋଇ ରହିଛି । ସମୁଦାୟ ସଂକ୍ରମିତଙ୍କ ମଧ୍ୟରେ ଆଗରେ ରହିଛି ଗଞ୍ଜାମ । ଆଜି ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମରେ ସର୍ବାଧିକ ୫୪୦ ଜଣ ଚିହ୍ନଟ ହୋଇଛନ୍ତି ।
ଖୋର୍ଦ୍ଧାରୁ ୧୩୭, ରାୟଗଡ଼ାରୁ ୮୪, ଗଜପତିରୁ ୭୪, ନୟାଗଡ଼ରୁ ୬୧, ସୁନ୍ଦରଗଡ଼ରୁ ୬୦, କଟକରୁ ୪୭, ଭଦ୍ରକରୁ ୩୦, କନ୍ଧମାଳରୁ ୨୯, କୋରାପୁଟରୁ ୨୭, କେନ୍ଦୁଝରରୁ ୨୫, ବରଗଡ଼ରୁ ୨୪, ପୁରୀ ଜିଲ୍ଲାରୁ ୨୨, ସମ୍ବଲପୁରରୁ ୨୦, ଯାଜପୁରରୁ ୧୭, ମୟୂରଭଞ୍ଜରୁ ୧୫, ବାଲେଶ୍ବରରୁ ୯, କେନ୍ଦ୍ରାପଡ଼ାରୁ ୮, କଳାହାଣ୍ଡି ଓ ଅନୁଗୁଳ ଜିଲ୍ଲାରୁ ୭ ଜଣ ଲେଖାଏଁ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଢେଙ୍କାନାଳରୁ ୬, ଜଗତସିଂହପୁର ଓ ନବରଙ୍ଗପୁରରୁ ୪ ଜଣ ଲେଖାଏଁ, ଝାରସୁଗୁଡ଼ାରୁ ୩, ବୌଦ୍ଧରୁ ୨, ବଲାଙ୍ଗିର ଓ ନୂଆପଡ଼ା ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ରାଜ୍ୟରେ କରୋନା ଟେଷ୍ଟିଂ ସଂଖ୍ୟା ବଢ଼ୁଥିବାରୁ ପଜିଟିଭ ସଂଖ୍ୟା ବଢ଼ୁଥିବା ସୂଚନା ମିଳିଛି ।
ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ତଥ୍ୟ ଅନୁସାରେ ଏବେ ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୧,୦୯୯ ରେ ପହଞ୍ଚିଛି । ସେମାନଙ୍କ ମଧ୍ୟରୁ ୧୩,୭୪୯ ଜଣ ସୁସ୍ଥ ହୋଇସାରିଥିବା ବେଳେ ଏବେ ୭,୨୦୫ ଜଣ ଚିକିତ୍ସାଧୀନ ଅଛନ୍ତି । ରାଜ୍ୟରେ ଗତ କିଛି ଦିନ ମଧ୍ୟରେ କରୋନା ସଂକ୍ରମଣ ସଂଖ୍ୟା ପାଖାପାଖି ଦୁଇ ଗୁଣରୁ ଅଧିକ ବୃଦ୍ଧି ପାଇଛି ।
ଏହା ବି ପଢ଼ନ୍ତୁ: CCTV: ରାସ୍ତା ଉପରେ ଦୁଇ ଝିଅଙ୍କ ସାମନାରେ ସାମ୍ବାଦିକଙ୍କୁ ଗୁଳି କଲେ ଦୁର୍ବୃତ୍ତ; ହସପିଟାଲରେ ମୃତ୍ୟୁ ହେଲା
ଦେଖନ୍ତୁ ଫଟୋ ଓ ପଢ଼ନ୍ତୁ: ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପ୍ରେମିକା ନତାଶା ଗର୍ଭବତୀ ହେଲେ; ଫଟୋ ସେୟାର କରି ସେ ଏହି କଥା ଲେଖିଲେ
ରାଜ୍ୟରେ ଚଳିତ ମାସରେ କରେନା ପଜିଟିଭଙ୍କ ସଂଖ୍ୟା ଦୃତ ଗତିରେ ବଢ଼ିଚାଲିଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି । ପ୍ରତି ଦିନ ୫୦୦ରୁ ଅଧିକ ନୂଆ ମାମଲା ସାମ୍ନାକୁ ଆସୁଥିବା ବେଳେ ଗତ କାଲି ଓ ଆଜି ଏକ ହଜାର ପାର୍ କରିଛି ସଂକ୍ରମଣ ସଂଖ୍ୟା । ଏହା ଏବେ ପ୍ରଶାସନର ମୁଣ୍ଡ ବିନ୍ଧାର କାରଣ ସାଜିଛି ।






