#AmitShahToNews18: ‘‘ପଶ୍ଚିମ ବଙ୍ଗରେ ଆସନ୍ତା ବର୍ଷ BJP ସରକାର ବନେଇବ,’’ କହିଲେ ଅମିତ ଶାହ
ଅମିତ ଶାହା କହିଛନ୍ତି ଯେ ପଶ୍ଚିମ ବଙ୍ଗର ପ୍ରତ୍ୟେକ ଜିଲ୍ଲାରେ ବୋମା ତିଆରି କାରଖାନା ଅଛି ଓ ସେଠି ଦୁର୍ନୀତି ଚରମ ସୀମାରେ ଅଛି । ‘‘ସେଠିକାର ସ୍ଥିତି ବହୁତ ଖରାପ । ବିରୋଧୀ ଦଳର କର୍ମୀମାନଙ୍କୁ ହତ୍ୟା କରାଯାଉଛି,’’ ସେ କହିଛନ୍ତି ।
ନ୍ୟୁଜ୍ ୧୮ ନେଟୱାର୍କର ଗୃପ୍ ସମ୍ପାଦକ ରାହୁଲ ଯୋଶୀଙ୍କ ସହ ସ୍ୱତନ୍ତ୍ର ସାକ୍ଷାତକାରରେ ଅମିତ ଶାହ
- News18 Odia
- Last Updated: October 17, 2020, 11:06 PM IST
ନୂଆ ଦିଲ୍ଲୀ: ପଶ୍ଚିମ ବଙ୍ଗରେ (West Bengal) ଆଗାମୀ ବିଧାନସଭା ନିର୍ବାଚନରେ (West Bengal Assembly polls) ବିଜେପି ସରକାର ଗଠନ କରିବ ବୋଲି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଶନିବାର ଦାବି କରିଛନ୍ତି। ଶାହା କହିଛନ୍ତି, ‘‘ପଶ୍ଚିମ ବଙ୍ଗରେ ପରିବର୍ତ୍ତନ ଅପରିହାର୍ଯ୍ୟ।’’
ନ୍ୟୁଜ୍ ୧୮ ନେଟୱାର୍କ (News18 Network) ସମ୍ପାଦକ ରାହୁଲ ଯୋଶୀଙ୍କୁ (Rahul Joshi) ଦେଇଥିବା ଏକ ସ୍ୱତନ୍ତ୍ର ସାକ୍ଷାତକାରରେ (Amit Shah Exclusive Interview) ଅମିତ ଶାହା କହିଛନ୍ତି, ‘‘ନିର୍ବାଚନ ସମୟରେ ଆମେ ଆମର ଯଥାସମ୍ଭବ ଉଦ୍ୟମ ଦେବୁ । ମୁଁ ଆଶା କରୁଛି ଯେ ପଶ୍ଚିମ ବଙ୍ଗରେ ପରିବର୍ତ୍ତନ ନିଶ୍ଚୟ ହେବ । ସେଠାରେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ବିଜେପି ପରବର୍ତ୍ତୀ ସରକାର ଗଠନ କରିବାକୁ ଯାଉଛି ।’’
ଅମିତ ଶାହା କହିଛନ୍ତି, ‘‘ପଶ୍ଚିମ ବଙ୍ଗର ପ୍ରତ୍ୟେକ ଜିଲ୍ଲାରେ ବୋମା ତିଆରି କାରଖାନା ଅଛି । ସେଠି ଦୁର୍ନୀତି ଚରମ ସୀମାରେ ଅଛି । ସେଠିକାର ସ୍ଥିତି ବହୁତ ଖରାପ । ବିରୋଧୀ ଦଳର କର୍ମୀମାନଙ୍କୁ ଯେମିତି ଭାବେ ହତ୍ୟା କରାଯାଉଛି ତାହା ଅନ୍ୟ କେଉଁଠାରେ ହେଉ ନାହିଁ । ଆମେ କଠିନ ସଂଗ୍ରାମ କରି ନିର୍ବାଚନରେ ଜିତିବୁ।’’

ଅମିତ ଶାହ (ଫାଇଲ୍ ଫଟୋ)
ପଶ୍ଚିମ ବଙ୍ଗରେ ବିଜେପିର ମୁଖ୍ୟ ମନ୍ତ୍ରୀ ପଦର ଚେହେରା ବିଷୟରେ ପଚରାଯିବାରୁ ଶାହା କହିଛନ୍ତି, ‘‘ଚେହେରା ତ ହୋଇପାରେ, କିନ୍ତୁ ଏବେ ପଶ୍ଚମ ବଙ୍ଗର ଲୋକେ ତୃଣମୂଳ କଂଗ୍ରେସକୁ ହଟାଇବାକୁ ଚାହୁଁଛନ୍ତି । ଏବେ ତାହା ହେଉଛି ମୁଖ୍ୟ ବିଷୟ ।’’
ଏହା ବି ପଢ଼ନ୍ତୁ | LPG ସିଲିଣ୍ଡର ଉପରେ ୧ ନଭେମ୍ବରରୁ ଲାଗୁ ହେବାକୁ ଯାଉଛି ଏହି ନୂଆ ନିୟମ; ଜାଣନ୍ତୁ କିଏ ପାଇବେ ଛାଡ଼
ମୁଖ୍ୟ ମନ୍ତ୍ରୀ ମମତା ବାନାର୍ଜୀଙ୍କ କରୋନା ଭାଇରସ ମହାମାରୀ (COVID-19) ପରିଚାଳନା ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଶାହ । ମହାମାରୀର ମୁକାବିଲା ପାଇଁ ସେମାନଙ୍କ ପାଖରେ ପର୍ଯ୍ୟାପ୍ତ ପଦକ୍ଷେପର ଅଭାବ ଥିଲା ବୋଲି ସେ କହିଛନ୍ତି।
ଏହା ବି ପଢ଼ନ୍ତୁ | ଅପରାଜିତାଙ୍କ ଅଫିସ୍ ସିଲିଂ: ସୁର ରାଉତରାୟ କହିଲେ, ‘‘ସେ ନାଚିଲେ, ଗାଇଲେ, କ’ଣ ଭାସିଗଲା ସେଇଠୁ?’’
ପଶ୍ଚିମ ବଙ୍ଗର ଅମ୍ଫାନ ମହା ବାତ୍ୟା ବିଷୟରେ ଅମିତ ଶାହା କହିଛନ୍ତି ଯେ ଘୂର୍ଣ୍ଣିବଳୟ ସମୟରେ କେନ୍ଦ୍ର ସରକାର ଯାହା ସାହାଯ୍ୟ ପଠାଇଥିଲେ ତାହା ଭୁଲ ହାତକୁ ଗଲା । ସେ କହିଛନ୍ତି ଯେ ଆମ୍ଫନ୍ ରିଲିଫ୍ ବଣ୍ଟନରେ ଦୁର୍ନୀତି ଅଭିଯୋଗ ଆସିଥିଲା ଓ ସମଗ୍ର ରିଲିଫ୍ ଭୁଲ୍ ହାତକୁ ଚାଲିଯାଇଥିଲା ।
ସୂଚନାଯୋଗ୍ୟ ଯେ ପଶ୍ଚିମବଙ୍ଗରେ ବିଜେପି ବିରୋଧୀ ଦଳ ଭାବେ ଉଭା ହୋଇଛି । ଲୋକସଭା ନିର୍ବାଚନରେ ବିଜେପି ତୃଣମୂଳ କଂଗ୍ରେସକୁ କଡ଼ା ମୁକାବିଲା ଦେଇଥିଲା । ପ୍ରାୟ ୪୦ ପ୍ରତିଶତ ଭୋଟ୍ ହାସଲ କରି ବିଜେପି ରାଜ୍ୟର ୪୨ଟି ସଂସଦ ଆସନ ମଧ୍ୟରୁ ୧୮ଟି ଜିତିଥିଲା ।






