ନୂଆ କୃଷି ଆଇନକୁ ନେଇ ତେଜିଲା ରାଜ୍ୟ ରାଜନୀତି; ଶାସକ ବିରୋଧୀ ମୁହାଁମୁହିଁ ହେଲେ
"ଭାରତର ଚାଷୀ ଯାହା ଚାହୁଁଛନ୍ତି ତାକୁ କେନ୍ଦ୍ର ସରକାର ଶୁଣିବା କଥା । କୃଷକଙ୍କ ମନ କଥା ଶୁଣି ବିଚାର କରିବା ଦରକାର । କେନ୍ଦ୍ର ସରକାର ଅନେକ ଯୋଜନା କଥା କହୁଛନ୍ତି କିନ୍ତୁ ଚାଷୀଙ୍କ ଅର୍ଥନୈତିକ ଅବସ୍ଥାରେ ଉନ୍ନତି ଘଟୁନି । ଏହା ତୃଣମୂଳ ସ୍ତରରେ ପହଞ୍ଚୁ ନାହିଁ ।"
ନୂଆ କୃଷି ଆଇନକୁ ନେଇ ତେଜିଲା ରାଜ୍ୟ ରାଜନୀତି
- News18 Odia
- Last Updated: December 28, 2020, 7:21 PM IST
ଭୁବନେଶ୍ୱର : ନୂଆ କୃଷି ଆଇନକୁ ନେଇ ପୁଣିଥରେ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଜୋର ଧରିଲା । ବର୍ଷର ଶେଷ 'ମନକୀ ବାତ' କାର୍ଯ୍ୟକ୍ରମରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଅନ୍ନଦାତାଙ୍କ ସ୍ୱାର୍ଥ ପାଇଁ କେନ୍ଦ୍ର ସରକାର ସଂକଳ୍ପବଦ୍ଧ ବୋଲି ଦୋହରାଇଥିବା ବେଳେ ଏହି ପ୍ରସଙ୍ଗକୁ ନେଇ ରାଜ୍ୟର ବିଜେପି ବିଭିନ୍ନ ବର୍ଗର ଲୋକଙ୍କ ପାଖକୁ ଯିବ ବୋଲି ସୂଚନା ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଯାହାକୁ ନେଇ ସମାଲୋଚନା କରିଛନ୍ତି ଉଭୟ ବିଜେଡ଼ି ଓ କଂଗ୍ରେସ ଦଳ ।
ରାଜ୍ୟ ବିଜେପି କାର୍ଯ୍ୟାଳୟରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ "ମନକୀ ବାତ କାର୍ଯ୍ୟକ୍ରମ" ସିଧା ପ୍ରସାରଣ ଅବସରରେ "ଅନ୍ନଦାତାଙ୍କ ପ୍ରତି ସମର୍ପିତ ମୋଦୀ ସରକାର" ପୁସ୍ତକର ଓଡ଼ିଆ ଅନୁବାଦକୁ ଉନ୍ମୋଚନ କରିଥିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ନୂଆ କୃଷି ଆଇନ ସଂପର୍କିତ ଏହି ପୁସ୍ତକ ଲୋକଙ୍କୁ ପ୍ରକୃତ ତଥ୍ୟ ଦେବ ବୋଲି କହିଥିଲେ ।

କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
"କୃଷକଙ୍କ ଉନ୍ନତି ପାଇଁ ପ୍ରଧାନ ମନ୍ତ୍ରୀ ସବୁବେଳେ ତତ୍ପର । ସେଥିପାଇଁ ସେ ନିରନ୍ତର ପ୍ରୟାସ କରୁଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରଖିଥିବା ପ୍ରସ୍ତାବକୁ ସାରା ରାଜ୍ୟରେ କାର୍ଯ୍ୟକାରୀ କରିବାକୁ ବିଜେପି ପ୍ରୟାସ କରିବ", କହିଛନ୍ତି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ।
"ଭାରତର ଚାଷୀ ଯାହା ଚାହୁଁଛନ୍ତି ତାକୁ କେନ୍ଦ୍ର ସରକାର ଶୁଣିବା କଥା । କୃଷକଙ୍କ ମନ କଥା ଶୁଣି ବିଚାର କରିବା ଦରକାର । କେନ୍ଦ୍ର ସରକାର ଅନେକ ଯୋଜନା କଥା କହୁଛନ୍ତି କିନ୍ତୁ ଚାଷୀଙ୍କ ଅର୍ଥନୈତିକ ଅବସ୍ଥାରେ ଉନ୍ନତି ଘଟୁନି । ଏହା ତୃଣମୂଳ ସ୍ତରରେ ପହଞ୍ଚୁ ନାହିଁ । କିନ୍ତୁ ପ୍ରଚାର ପ୍ରସାରରେ ମାତିଛନ୍ତି ବିଜେପି ସରକାର । ଚାଷୀ ଯାହା କହୁଛନ୍ତି ଯଥାର୍ଥ ତେଣୁ ଏହାକୁ ପ୍ରଧାନ ମନ୍ତ୍ରୀ ଗୁରୁତ୍ବର ସହ ନେଇ ସମାଧାନ କରିବା ଆବଶ୍ୟକ । ଆମେ ମଧ୍ୟ ସ୍ୱାମୀନାଥନ କମିଟି ସୁପାରିଶକୁ ଲାଗୁ କରିବାକୁ ସର୍ବଦଳୀୟ ବୈଠକ ଡାକି ପ୍ରସ୍ତାବ ପାରିତ କରିଥିଲୁ । କିନ୍ତୁ ତାହା ଏ ଯାଏ ଲାଗୁ ହୋଇପାରି ନାହିଁ", କହିଛନ୍ତି ବିଜେଡ଼ି ନେତା ପ୍ରଶାନ୍ତ ଜଗଦେବ ।
ବିଜେପିର ଏହି ପ୍ରୟାସକୁ ସମାଲୋଚନା କରିଛି କଂଗ୍ରେସ । "କେନ୍ଦ୍ର ସରକାରଙ୍କ ନୂତନ କୃଷିନୀତି ସବୁ ବର୍ଗର ଲୋକଙ୍କ ଦ୍ୱାରା ଗ୍ରହଣୀୟ ହେବା ଉଚିତ । ରାଜ୍ୟ ସରକାର ଉଭୟ କୃଷି ଓ କୃଷକଙ୍କ ପାଇଁ ଅଧିକ ଯତ୍ନବାନ ହେବା ଉଚିତ", କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ସୁରେଶ କୁମାର ରାଉତରାୟ ।

ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ
ମୋଟ ଉପରେ ଏହି ପ୍ରସଙ୍ଗରୁ ଫାଇଦା ପାଇବା ପାଇଁ ସବୁ ରାଜନୈତିକ ଦଳ କସରତ ଆରମ୍ଭ କରି ଦେଇଛନ୍ତି ବୋଲି ରାଜନୀତି ବିଶେଷଜ୍ଞ ମତ ଦେଇଛନ୍ତି ।






