ପୁରୀରେ ନାବାଳିକା ସହ ଗଣଦୁଷ୍କର୍ମ: 20 ଦିନ ଭିତରେ ପୁଲିସ୍ ଚାର୍ଜସିଟ୍ ଦାଖଲ କରିବ
ରିଜର୍ଭ ପୁଲିସ କୋଲନୀରେ ଅଭିଯୁକ୍ତ ବହିଷ୍କୃତ ପୁଲିସ କନଷ୍ଟେବଳ ଜିତେନ୍ଦ୍ର ସେଠୀଙ୍କ ସ୍ତ୍ରୀ କନଷ୍ଟେବଳ ଭାବେ କାମ କରନ୍ତି । ତାଙ୍କ ନାଁରେ ମିଳିଥିବା ପୁଲିସ କ୍ୱାର୍ଟର ପି/105 ନମ୍ବରରେ ରହି ଏଭଳି କାରନାମା କରିଛନ୍ତି ସେ । ଜିତେନ୍ଦ୍ରଙ୍କ ନାଁରେ 15ଟି ଆପରାଧିକ ମାମଲା ଅଛି । ଚାକିରି ଅବଧିରେ ତାଙ୍କୁ ମିଳିଥିବା ନଅଟି ବ୍ଲାକ୍ ମାର୍କ ଆଧାରରେ ତାଙ୍କୁ ଫେବୃୟାରୀରେ ପୁଲିସ ବିଭାଗରୁ ବହିଷ୍କୃତ କରାଯାଇଥିଲା ।
ଗଣଧର୍ଷଣ ଘଟଣା ବିରୋଧରେ ବିଜେପି ମହିଳା ସଦସ୍ୟାମାନେ ପ୍ରଦର୍ଶନ କରୁଛନ୍ତି ।
- News18 Odia
- Last Updated: December 3, 2019, 1:56 PM IST
ପୁରୀ: ନାବାଳିକାକୁ ଗଣଦୁଷ୍କର୍ମ ଘଟଣାରେ ଅଭିଯୁକ୍ତ ବହିଷ୍କୃତ ପୁଲିସ କନଷ୍ଟେବଳ ଜିତେନ୍ଦ୍ର ସେଠୀ ଓ ତାଙ୍କ ସମ୍ପର୍କୀୟ ରାଜେଶ କୁମାର ସେଠୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ସେମାନଙ୍କ ବିରୁଦ୍ଧରେ କୁମ୍ଭାରପଡା ଥାନାରେ କେସ୍ ନମ୍ବର 308ରେ ଏକ ମାମଲା ରୁଜୁ କରାଯାଇ ଆଇପିସି ଦଫା 363, 376, 394 ଓ ପୋକ୍ସୋ ଆକ୍ଟ ଦଫା 6 ଲାଗିଛି ।
ଏହି ମାମଲାରେ କୋଡ଼ିଏ ଦିନ ଭିତରେ ପୁଲିସ୍ ଚାର୍ଜସିଟ ଦାଖଲ କରିବା ସହ ଅଭିଯୁକ୍ତଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ ପାଇଁ ଫାଷ୍ଟ ଟ୍ରାକ୍ କୋର୍ଟ୍ରେ ଆବେଦନ କରିବ । ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପୁରୀ ଏସ୍ପିଙ୍କ ନେତୃତ୍ୱରେ ଚାରିଟି ଟିମ ଗଠନ କରାଯାଇଛି । ଗଣଦୁଷ୍କର୍ମରେ ସହଯୋଗ କରିଥିବା ଦୁଇ ଅଭିଯୁକ୍ତଙ୍କୁ ମଧ୍ୟ ସେହି ଏକା ଦଫାରେ ଗିରଫ କରାଯିବ ।

ଏଇ ଘର ଭିତରେ ହୋଇଥିଲା ନାବାଳିକା ସହ ଗ୍ୟାଙ୍ଗ୍ରେପ୍
ବହିଷ୍କୃତ ହୋଇ ରହିଥିବା ସମୟରେ ଅଭିଯୁକ୍ତ କନଷ୍ଟେବଳ ଜିତେନ୍ଦ୍ର ସେଠୀ କିଭଳି ପୁଲିସ ବିଭାଗର ପରିଚୟ ପତ୍ର ବ୍ୟବହାର କରୁଥିଲେ ସେ ନେଇ ପୁରୀ ପୁଲିସ ପକ୍ଷରୁ ଦଫା 420 ରେ ଏକ ମାମଲା ଲଗାଯାଇ ଆଉ ଏକ କେସ୍ କରାଯିବ ବୋଲି କହିଛନ୍ତି କେନ୍ଦ୍ରାଞ୍ଚଳ ଡିଆଇଜି ଆଶିଷ ସିଂ ।
ପୁରୀକୁ ବଦନାମ କରିବା ସହ ଏଭଳି ଘୃଣ୍ୟ କାର୍ଯ୍ୟ କରିଥିବା ଅପରାଧୀମାନଙ୍କୁ କଠୋର ଦଣ୍ଡ ବିଧାନ କଲେ ହିଁ ପିଡିତା ନ୍ୟାୟ ପାଇବେ ବୋଲି କହିଛନ୍ତି ବିରୋଧୀ ଦଳ କଂଗ୍ରେସର ନେତାମାନେ । ପୁଲିସ୍ର ପଦକ୍ଷେପକୁ ସାଧାରଣରେ ସ୍ୱାଗତ କରାଯାଉଥିବା ବେଳେ ରିଜର୍ଭ ପୁଲିସ୍ର କ୍ୱାର୍ଟରରେ ଏଭଳି ଘଟଣା ଘଟିଥିବାରୁ ସେହି କ୍ୱାର୍ଟତରକୁ ସିଲ କରାଯାଉ ଓ କଲୋନୀରେ ସିସିଟିଭି ଲଗାଯାଉ ବୋଲି ଦାବୀ କରିଛନ୍ତି ବିଜେପି ନେତାଗଣ ଓ ବୁଦ୍ଧିଜିବୀମାନେ ।
ଗଣଦୁଷ୍କର୍ମର ଅଭିଯୁକ୍ତ ଜିତେନ୍ଦ୍ର ସେଠୀକୁ ଘଟଣା ସ୍ଥଳରୁ ଗିରଫ କରାଯାଇଥିବା ବେଳେ ମଧ୍ୟରାତ୍ରରେ ତାଙ୍କ ସହଯୋଗୀ ତଥା ସମ୍ପର୍କୀୟ 25-ବର୍ଷୀୟ ଯୁବକ ରାଜେନ୍ଦ୍ର କୁମାର ସେଠୀଙ୍କୁ ମଧ୍ୟ ଗିରଫ କରାଯାଇଛି । ଅଭିଯୁକ୍ତ ଜିତେନ୍ଦ୍ର ବହିଷ୍କୃତ ପୁଲିସ କର୍ମଚାରୀ ହୋଇଥିବା ବେଳେ ତାଙ୍କ ନାଁରେ ଅନେକ ଆପରାଧିକ ମାମଲା ରହିଛି ।
ରିଜର୍ଭ ପୁଲିସ କୋଲନୀରେ ଜିତେନ୍ଦ୍ରଙ୍କ ସ୍ତ୍ରୀ କନଷ୍ଟେବଳ ଭାବେ କାମ କରନ୍ତି । ତାଙ୍କ ନାଁରେ ମିଳିଥିବା ପୁଲିସ କ୍ୱାର୍ଟର ପି/105 ନମ୍ବରରେ ରହି ଏଭଳି କାରନାମା କରିଛନ୍ତି ସେ । ପୁଲିସ ପକ୍ଷରୁ କ୍ୱାଟରର ପ୍ରବେଶ ପଥକୁ ମଧ୍ୟ ସିଲ କରାଯାଇଛି ।

ପୁଲିସ୍କର୍ମୀଙ୍କ ସାମ୍ନାରେ ବିରୋଧ ପ୍ରଦର୍ଶନ କରୁଛନ୍ତି ମହିଳା ସଂଗଠନର ସଦସ୍ୟାମାନେ ।
ଡିଆଇଜିଙ୍କ ସୂଚନା ଅନୁଯାୟୀ ନାବାଳିକାକୁ ପ୍ରଥମେ ନିମାପଡା ବସଷ୍ଟାଣ୍ଡରୁ ଅପହରଣ କରି ଅଭିଯୁକ୍ତଦ୍ୱୟ ପୁଲିସ କ୍ୱାର୍ଟରରେ ବଳାତ୍କାର କରିଥିଲେ । ତାଙ୍କ ସହ ଅନ୍ୟ ଦୁଇ ଜଣ ମଧ୍ୟ ସମ୍ପୃକ୍ତ ରହିଥିବା ନାବାଳିକା ବୟାନ ଦେଇଛନ୍ତି । ଦୁଇ ଜଣ ଘଟଣାରେ ଗିରଫ ହୋଇ କୋର୍ଟ ଚାଲାଣ କରାଯାଇଥିବା ବେଳେ ସେମାନଙ୍କ ଠାରୁ ଗୋଟିଏ ମୋଟରସାଇକେଲ ଓ ଗୋଟିଏ ସ୍କୁଟି ବି ପୁଲିସ ଜବତ କରିଛି । ଘଟଣାର ତଦନ୍ତ ଜାରୀ ରହିଛି ।
ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ଧରିବା ପାଇଁ ଚାରିଟି ଟିମ୍ ଗଠନ କରି ଚଢାଉ ଜାରୀ ରଖିଛି ପୁଲିସ୍ । ତେବେ ପିଡିତା ନାବାଳିକା ହୋଇଥିବାରୁ ଭାରତୀୟ ପିଙ୍ଗଳ କୋର୍ଟର ଧାରା 363, 376, 394 ଓ ନାବାଳିକା ମାମଲାରେ 6 ପୋକ୍ସୋ ଆକ୍ଟ ଲାଗିଛି ।
ଅଭିଯୁକ୍ତ ଜିତେନ୍ଦ୍ରଙ୍କ ନାଁରେ 15ଟି ଆପରାଧିକ ମାମଲା ଅଛି ବୋଲି ଜଣା ପଡ଼ିଛି । ଚାକିରି ଅବଧିରେ ତାଙ୍କୁ ମିଳିଥିବା ନଅଟି ବ୍ଲାକ୍ ମାର୍କ ଆଧାରରେ ତାଙ୍କୁ ଚଳିତ ବର୍ଷ 16 ଫେବୃୟାରୀରେ ପୁଲିସ ବିଭାଗରୁ ବହିଷ୍କୃତ କରାଯାଇଥିଲା ।

ସାମ୍ବାଦିକ ସମ୍ମିଳନୀରେ ପୁରୀ ଏସ୍ପି (ବାମ) ଓ ଡିଆଇଜି
"ବହିଷ୍କୃତ ହେବା ସତ୍ୱେ ମଧ୍ୟ ପୁଲିସ ବିଭାଗର ପରିଚୟ ପତ୍ର ବ୍ୟବହାର କରି ବିଭିନ୍ନ ଅପରାଧିକ ମାମଲା ଘଟାଉଥିବାରୁ ଅଭିଯୁକ୍ତଙ୍କ ନାଁରେ 420 ଦଫାରେ ମାମଲା ରୁଜୁ କରାଯାଇଛି । ତାଙ୍କୁ ରିମାଣ୍ଡରେ ଅଣାଯିବ ଓ ଯେଉଁମାନେ ଏହି ଘଟଣାରେ ସମ୍ପୃକ୍ତି ରହିଛନ୍ତି ସମସ୍ତଙ୍କୁ ଏକା ଦଫା ଲଗାଯାଇ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ । ପୁଣି ପିଡିତାକୁ ଶ୍ରୀଘ୍ର ନ୍ୟାୟ ଦେବା ପାଇଁ ଏହି ମାମଲାରେ 20 ଦିନ ଭିତରେ ପୁଲିସ ଚାର୍ଜସିଟ୍ ଦାଖଲ କରିବା ସହ ଅଭିଯୁକ୍ତଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୁଳକ ଦଣ୍ଡବିଧାନ ପାଇଁ ଫାଷ୍ଟ୍ ଟ୍ରାକ୍ କୋର୍ଟରେ ପୁଲିସ ପକ୍ଷରୁ ଆବେଦନ କରାଯିବ,‘‘ କହିଛନ୍ତି "କେନ୍ଦ୍ରାଞ୍ଚଳ ଡିଆଇଜି ଆଶିଷ ସିଂ ।
ଜଣେ ନାବାଳିକା ସହ ପୁରୀ ପରି ଏକ ମହାନ ଧାର୍ମିକ କ୍ଷେତ୍ରରେ ଗଣଦୁଷ୍କର୍ମ ଘଟଣା ସହରବାସୀଙ୍କ ସମେତ ସମଗ୍ର ଓଡ଼ିଶାବାସୀଙ୍କୁ ଭୀଷଣ ଆଘାତ ଦେଇଛି । ସୋମବାର ଠାରୁ ଥାନା ସମ୍ମୁଖରେ ଉତ୍ତେଜନା ଓ ସହର ଭିତରେ ବିଭିନ୍ନ ସଙ୍ଗଠନ ଦ୍ୱାରା ଚାଲିଥିବା ଆନ୍ଦୋଳନ ପୁଲିସ୍ ଉପରେ ଚାପ ସୃଷ୍ଟି କରିଛି । ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପିଡିତାକୁ ନ୍ୟାୟ ଦାବୀରେ ଏସପି ଓ ଡିଆଇଜିଙ୍କୁ ଘନ ଘନ ଭେଟି ଦାବୀପତ୍ର ପ୍ରଦାନ କରାଯାଉଛି ।
ମହିଳା ଗଣତାନ୍ତ୍ରିକ ସେନା ତଥା ଉଭୟ ବିଜେପି ଓ କଂଗ୍ରେସ ପକ୍ଷରୁ ଆଜି (ମଙ୍ଗଳବାର) କୁମ୍ଭାରପଡା ଥାନା ଘେରାଉ କରିବା ସହ ପୁରୀ ଏସ୍ପିଙ୍କ ଅଫିସ୍ ବି ଘେରାଉ ସମେତ ସ୍ଲୋଗାନବାଜୀ କରାଯାଇଛି । ସରକାରଙ୍କ ପକ୍ଷରୁ ମହିଳାଙ୍କୁ ସୁରକ୍ଷା ଓ ନାରୀକୁ ଇଜ୍ଜତ କଥା କୁହାଯାଉଥିବା ବେଳେ ପୁଲିସ ରକ୍ଷକ ହେଇ କିଭଳି ଭକ୍ଷକ ସାଜିଲା ତାହାକୁ ନେଇ ଉଠିଛି ପ୍ରଶ୍ନ ।
"ପୁରୀ ଭଳି ତୀର୍ଥକ୍ଷେତ୍ରରେ ଜଣେ ପୁଲିସ କର୍ମଚାରୀ ନିଜ କ୍ୱାର୍ଟରରେ ଗଣଦୁଷ୍କର୍ମ ଘଟଣା ଘଟେଇବା ନିନ୍ଦନୀୟ । ଏହା ପୁରୀ ପୁଲିସ୍ର ପାରିବାପଣିଆ ଉପରେ ଦାଗ ସୃଷ୍ଟି କରିଛି," କହିଛନ୍ତି ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ।






