ସ୍କୁଲ୍ ଓ କଲେଜ ଖୋଲିବା ନେଇ ପୁଣି ଅନିଶ୍ଚିତତା; ଶିକ୍ଷା ମନ୍ତ୍ରୀଙ୍କ କଥାକୁ CM ନାପସନ୍ଦ କଲେ
ଜାନୁଆରୀରୁ ସ୍କୁଲ୍ ଖୋଲିପାରେ ବୋଲି ଶିକ୍ଷା ମନ୍ତ୍ରୀ ଓ ସଚିବଙ୍କ ବିବୃତି ଆସିବାର ଅଳ୍ପ କିଛି ଘଣ୍ଟା ପରେ ରାଜ୍ୟରେ କୋଭିଡ ସ୍ଥିତିର ସମୀକ୍ଷା କରି ମୁଖ୍ୟ ମନ୍ତ୍ରୀ ଏହି ମନ୍ତବ୍ୟକୁ ନାପସନ୍ଦ କରିଛନ୍ତି । ‘‘ଉପଯୁକ୍ତ ନିଷ୍ପତ୍ତି’’ ନିଆଯିବ ବୋଲି ସେ କହିଛନ୍ତି ।
ମନ୍ତ୍ରୀ ସମୀର ରଞ୍ଜନ ଦାଶ, କିଛି ସ୍କୁଲ୍ ଛାତ୍ରୀ, ଓ ନବୀନ ପଟ୍ଟନାୟକ (ଫାଇଲ୍ ଫଟୋ)
- News18 Odia
- Last Updated: December 10, 2020, 10:25 PM IST
ଭୁବନେଶ୍ୱର: ରାଜ୍ୟରେ ସ୍କୁଲ ଓ କଲେଜ ଖୋଲିବା ନେଇ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗର ମନ୍ତବ୍ୟକୁ ନାପସନ୍ଦ କରିଛନ୍ତି ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ । ସମସ୍ତ ଦୃଷ୍ଟିକୋଣରୁ ବିଚାର କରି ରାଜ୍ୟ ସରକାର ଏ ବିଷୟରେ ଉପଯୁକ୍ତ ନିଷ୍ପତ୍ତି ନେବେ ବୋଲି ସେ କହିଛନ୍ତି । ଏହା ସହ ଟିକାକରଣ ପାଇଁ ରାଜ୍ୟର ପ୍ରସ୍ତୁତି ପ୍ରକ୍ରିୟା ଆଗୁଆ ସ୍ତରରେ ରହିଥିବା ବି ସେ କହିଛନ୍ତି ।
ମୁଖ୍ୟ ମନ୍ତ୍ରୀଙ୍କ ବିବୃତି ପରେ ରାଜ୍ୟରେ ଶିକ୍ଷାନୁଷ୍ଠାନ କେବେ ଖୋଲିବ ସେ ନେଇ ପୁଣି ଦେଖାଦେଇଛି ଅନିଶ୍ଚିତତା । ଆସନ୍ତା ଜାନୁଆରୀରୁ ରାଜ୍ୟରେ ସ୍କୁଲ ଓ କଲେଜ ଖୋଲିବା ନେଇ ସ୍କୁଲ ଓ ଗଣ ଶିକ୍ଷା ବିଭାଗ ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଥିଲେ । ଉଚ୍ଚ ଶିକ୍ଷା ସଚିବ ଶାଶ୍ବତ ମିଶ୍ର ମଧ୍ୟ ଗଣମାଧ୍ୟମକୁ କହିଥିଲେ ଯେ ଜାନୁଆରୀରେ କଲେଜରେ ଆରମ୍ଭ ହେବ ପାଠପଢ଼ା । ଶନିବାର, ରବିବାର ଓ ଛୁଟି ଦିନରେ ମଧ୍ୟ ପାଠପଢ଼ା ଜାରି ରହିବ ବୋଲି ଉଭୟ ମନ୍ତ୍ରୀ ଓ ସଚିବ କହିଥିଲେ ।
ଏହା ବି ପଢ଼ନ୍ତୁ | ଝିଅକୁ ଅନଲାଇନ୍ କ୍ଲାସ୍ ପାଇଁ ବାପା ନିଜ ଫୋନ୍ ଦେଲେ; ଅନ୍ୟ ମହିଳାଙ୍କ ସହ ସମ୍ପର୍କ ଧରାପଡ଼ିଗଲା
ରାଜ୍ୟର କୋଭିଡ ମୁକାବିଲା କାର୍ଯ୍ୟକ୍ରମ ଉପରେ ସନ୍ତୋଷ ବ୍ୟକ୍ତ କରିଛନ୍ତି ମୁଖ୍ୟ ମନ୍ତ୍ରୀ । ସେ କହିଛନ୍ତି ଯେ ପୂଜା ସମୟରେ ଯେଉଁ ଆଶଙ୍କା ଥିଲା ତାକୁ ସଫଳତାର ସହ ଦୂରୀଭୂତ କରାଯାଇପାରିଛି । ସେହି ପରି ଶୀତଋତୁର ଆଶଙ୍କା ମଧ୍ୟ ଦୂରୀଭୂତ ହେବ । କୋଭିଡ ପରିଚାଳନାରେ ଓଡ଼ିଶା ଦେଶର ଶ୍ରେଷ୍ଠ ରାଜ୍ୟମାନଙ୍କ ମଧ୍ୟରେ ସ୍ଥାନ ପାଇଛି ଏବଂ ଏହାକୁ ନୀତି ଆୟୋଗ ମଧ୍ୟ ପ୍ରଶଂସା କରିଛି ବୋଲି ସେ କହିଥିଲେ।
ଏହା ବି ପଢ଼ନ୍ତୁ | ପ୍ରଧାନ ମନ୍ତ୍ରୀ ମୋଦୀ ନୂତନ ସଂସଦ ଗୃହର ଭୂମି ପୂଜନ କଲେ; PICS ରେ ଦେଖନ୍ତୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମ
ଦେଶରେ ଟିକାକରଣ ପ୍ରକ୍ରିୟା ଖୁବ ଶୀଘ୍ର ଆରମ୍ଭ ହେବାର ସମ୍ଭାବନା ରହିଥିବା କହି ଏଥିପାଇଁ ଓଡ଼ିଶାରେ ସମ୍ପୂର୍ଣ୍ଣ ଡାଟାବେସ୍ ପ୍ରସ୍ତୁତ ହୋଇଛି ଓ ଆନୁସଙ୍ଗିକ ବ୍ୟବସ୍ଥା ମଧ୍ୟ କରାଯାଇଛି ବୋଲି କହିଛନ୍ତି ପଟ୍ଟନାୟକ । ଦେଶରେ ଟିକାକରଣ ପ୍ରକ୍ରିୟା ଏକ ବର୍ଷରୁ ମଧ୍ୟ ଅଧିକ ସମୟ ଲାଗିପାରେ ବୋଲି ଅନୁମାନ କରାଯାଉଛି ବୋଲି ପ୍ରକାଶ କରି ଏହି ସମୟରେ ସମସ୍ତ ପ୍ରକାର କୋଭିଡ ନିୟମାବଳୀକୁ ପୂର୍ବ ଭଳି ଜାରି ରଖିବାକୁ ସେ ପରାମର୍ଶ ଦେଇଛନ୍ତି । କୋଭିଡ ନିୟମାବଳୀ ଓ ଟୀକାକରଣ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିବା ପାଇଁ ଉପଯୁକ୍ତ ସୂଚନା ଅଭିଯାନ ମଧ୍ୟ କାର୍ଯ୍ୟକାରୀ କରିବାକୁ ସେ ପରାମର୍ଶ ଦେଇଥିଲେ।
‘‘କୋଭିଡ-୧୯ ଯୋଗୁଁ ଉପୁଜିଥିବା ଅର୍ଥନୈତିକ ଆହ୍ବାନର ମୁକାବିଲା ପାଇଁ ରାଜ୍ୟର ପ୍ରଶାସନିକ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ସଜାଗ ରହି କାର୍ଯ୍ୟ କରୁଛି । ରାଜ୍ୟ ସରକାର ଜୀବିକା ସୃଷ୍ଟି ସମ୍ପର୍କିତ କାର୍ଯ୍ୟକ୍ରମ ଉପରେ ଗୁରୁତ୍ବ ଦେଇ କାର୍ଯ୍ୟ କରୁଛନ୍ତି। ଜୀବିକା କାର୍ଯ୍ୟକ୍ରମ ସହିତ ଚାଷୀ, ମିଶନ ଶକ୍ତି, କୃଷକ ଓ ଏମଏସଏମଇମାନଙ୍କୁ ଋଣ ପ୍ରଦାନ କାର୍ଯ୍ୟକ୍ରମ ଉପରେ ଡିସେମ୍ବର ୨୨ ତାରିଖ ଦିନ ଜିଲ୍ଲାପାଳ ଓ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ସହ ସମୀକ୍ଷା ହେବ,’’ କହିଛନ୍ତି ପଟ୍ଟନାୟକ ।
ଏହା ବି ପଢ଼ନ୍ତୁ | ମୁକେଶ ଅମ୍ବାନୀ ଜେଜେବାପା ହେଲେ; ପୁଅ ଆକାଶ ଓ ବୋହୂ ଶ୍ଳୋକା ଏକ ଶିଶୁ ପୁତ୍ର ଜନ୍ମ ଦେଲେ
ମୁଖ୍ୟ ମନ୍ତ୍ରୀ କହିଛନ୍ତି ଯେ ଏହି ସବୁ ଜୀବିକା କାର୍ଯ୍ୟକ୍ରମକୁ ଋଣ ପ୍ରଦାନରେ ଅବହେଳାକୁ ଆଦୌ ବରଦାସ୍ତ କରାଯିବ ନାହିଁ । ଅବହେଳା କରୁଥିବା ବ୍ୟାଙ୍କ ସମ୍ପର୍କରେ ସେହି ଦିନ ହିଁ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟକୁ ଅବଗତ କରାଯିବ।
ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କହିଛନ୍ତି ଯେ ରାଜ୍ୟରେ କୋଭିଡ ପରିସ୍ଥିତିରେ ଦ୍ରୁତ ଉନ୍ନତି ଜାରି ରହିଛି । ଟିକାକରଣ ପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାର ବ୍ୟବସ୍ଥା କେନ୍ଦ୍ର ସରକାରଙ୍କ ସହ ପରାମର୍ଶ କରି କାର୍ଯ୍ୟକାରୀ କରୁଛନ୍ତି ବୋଲି ସେ କହିଛନ୍ତି ।
ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପି.କେ. ମହାପାତ୍ର କହିଛନ୍ତି ଯେ କୋଭିଡ ମୁକାବିଲାରେ ରାଜ୍ୟର ଉନ୍ନତ ପ୍ରଦର୍ଶନ ଜାରି ରହିଛି । ଆରୋଗ୍ୟ ହାର ବର୍ତ୍ତମାନ ୯୮.୫୨ ପ୍ରତିଶତ ରହିଛି, ଯାହା ସାରା ଦେଶରେ ଦ୍ବିତୀୟ ସର୍ବଶ୍ରେଷ୍ଠ ସୂଚକାଙ୍କ । ଦୈନିକ ସଂକ୍ରମଣ ହାର ପ୍ରଥମ ଥର ପାଇଁ ୧ ପ୍ରତିଶତରୁ କମି ବର୍ତ୍ତମାନ ୦.୯୬ ପ୍ରତିଶତରେ ରହିଛି ବୋଲି ସେ କହିଛନ୍ତି ।
ଡିସେମ୍ବର ୩୧ ତାରିଖ ସୁଦ୍ଧା ଗଞ୍ଜାମ, ନୟାଗଡ ଓ କୋରାପୁଟରେ ସେରୋ ସର୍ଭେ କରାଯିବ । ଜାନୁଆରୀରେ କଟକ ଓ ଭୁବନେଶ୍ବରରେ ଏହା କରାଯିବ । ଟିକାକରଣର ମଡ୍ୟୁଲ ଅନୁଯାୟୀ ସମସ୍ତ ପ୍ରସ୍ତୁତି କରାଯାଉଛି ଓ ନିର୍ବାଚନ ପ୍ରକ୍ରିୟାର ଅନୁକରଣରେ ଟିକାକରଣ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରାଯିବ ବୋଲି କହିଛନ୍ତି ମହାପାତ୍ର ।






