ଐତିହାସିକ! ଦିଲ୍ଲୀରେ ଲଗାତାର ୬ ବର୍ଷ ଧରି ବିଦ୍ୟୁତ୍ ଶୁଳ୍କ ବଢ଼ିନାହିଁ; ୨୪ ଘଣ୍ଟା ବିଜୁଳି ମିଳୁଛି
ଅରବିନ୍ଦ କେଜରିୱାଲ ଦିଲ୍ଲୀର ନାଗରିକମାନଙ୍କୁ ଅଭିନନ୍ଦନ ଜଣାଇ କହିଛନ୍ତି ଯେ ଲଗାତର ଛଅ ବର୍ଷ ଧରି ବିଦ୍ୟୁତ୍ ଦର ବଢ଼ିବାକୁ ନ ଦେବା ଏକ ଐତିହାସିକ ଘଟଣା । ଦିଲ୍ଲୀରେ ଏକ ସଚ୍ଚୋଟ ସରକାର ଥିବାରୁ ଏହା ସମ୍ଭବ ହୋଇଛି ବୋଲି ସେ କହିଛନ୍ତି ।
ଅରବିନ୍ଦ କେଜରିୱାଲ
- News18 Odia
- Last Updated: August 30, 2020, 8:47 PM IST
ନୂଆ ଦିଲ୍ଲୀ: ଦିଲ୍ଲୀ ମୁଖ୍ୟ ମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ (Arvind Kejriwal) ନେତୃତ୍ୱରେ AAP ସରକାର କ୍ରମାଗତ ଷଷ୍ଠ ବର୍ଷ ପାଇଁ ବିଦ୍ୟୁତ୍ ଶୁଳ୍କ ବୃଦ୍ଧି ନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଦିଲ୍ଲୀର ବିଦ୍ୟୁତ୍ ନିୟାମକ ଆୟୋଗ (DERC) ୨୮ ଅଗଷ୍ଟରେ କରୋନା ଭାଇରସ୍ ମହାମାରୀ (Coronavirus Pandemic) ପରେ ୨୦୨୦-୨୧ ସୁଦ୍ଧା ସହରରେ ବିଦ୍ୟୁତ୍ ଶୁଳ୍କରେ (electricity rates) କୌଣସି ବୃଦ୍ଧି ଘଟିବ ନାହିଁ ବୋଲି ଘୋଷଣା କରିଛି ।
ଏହି ଘୋଷଣା ପରେ ମୁଖ୍ୟ ମନ୍ତ୍ରୀ ଅରବିନ୍ଦ କେଜରିୱାଲ ଖୁବ ଶୀଘ୍ର ଟ୍ୱିଟ୍ କରି ଦିଲ୍ଲୀର ନାଗରିକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସେ କହିଛନ୍ତି, ‘‘ଦିଲ୍ଲୀବାସୀଙ୍କୁ ଅଭିନନ୍ଦନ। ସାରା ଦେଶରେ ବିଦ୍ୟୁତ୍ ଦର ବର୍ଷକୁ ବର୍ଷ ବଢ଼ୁଥବା ବେଳେ ଦିଲ୍ଲୀ ଲଗାତର ଛଅ ବର୍ଷ ଧରି ବିଦ୍ୟୁତ୍ ଦର ବୃଦ୍ଧି କରିବାକୁ ଦେଇନାହିଁ । କେତେକ କ୍ଷେତ୍ରରେ ଏହି ଦର ହ୍ରାସ ବି କରାଯାଇଛି । ଏହା ଐତିହାସିକ । ଏହା ଏଇଥି ପାଇଁ ହେଉଛି କାରଣ ଆପଣ ଦିଲ୍ଲୀରେ ଏକ ସଚ୍ଚୋଟ ସରକାର ଗଠନ କରିଛନ୍ତି ।’’
୨୦୧ରୁ ୪୦୦ ୟୁନିଟ୍ ବ୍ୟବହାର ଉପରେ ୫୦% ସବସିଡି

କେଜରିୱାଲଙ୍କ ଟ୍ୱିଟ୍
ଅନ୍ୟ ରାଜ୍ୟଗୁଡିକରେ, ଯଥା ଗୁଜୁରାଟରେ, ୧୦୦ ୟୁନିଟ୍ ପିଛା ଦର ୩.୫୦ ଟଙ୍କା, ୧୦୧-୨୦୦ ୟୁନିଟ୍ ଉପରେ ୪.୧୫ ଟଙ୍କା, ପଞ୍ଜାବରେ ୧୦୦ ୟୁନିଟ୍ ଉପରେ ୪.୪୯ ଟଙ୍କା ଓ ୧୦୧-୨୦୨ ୟୁନିଟ୍ ଉପରେ ୬.୩୪ ଟଙ୍କା, ଗୋଆରେ ୧୦୦ ୟୁନିଟ୍ ଉପରେ ୧.୫ ଟଙ୍କା ଓ ୧୦୧-୨୦୦ ୟୁନିଟ୍ ଉପରେ ୨.୨୫ ଟଙ୍କା ଚାର୍ଜ କରାଯାଉଥିବା ବେଳେ ଦିଲ୍ଲୀରେ ୨୦୦ ୟୁନିଟ୍ ବ୍ୟବହାର ଉପରେ ବିଦ୍ୟୁତ୍ ହାର ୦ (ଶୂନ୍ୟ) ଟଙ୍କା ରହିଛି ଓ ୨୦୧-୪୦୦ ୟୁନିଟ୍ ମଧ୍ୟରେ ବ୍ୟବହାର ପାଇଁ ୫୦% ସବସିଡି ଦିଆଯାଉଛି ।
ପଡ଼ୋଶୀ ରାଜ୍ୟ ଦର ବଢ଼ାଇଛନ୍ତି
ନିକଟରେ ଦିଲ୍ଲୀର ପଡ଼ୋଶୀ ରାଜ୍ୟ ଉତ୍ତର ପ୍ରଦେଶର ବିଦ୍ୟୁତ୍ ନିୟାମକ ଆୟୋଗ (ୟୁପିଆରସି) ରାଜ୍ୟରେ ବିଦ୍ୟୁତ୍ ଦର ବୃଦ୍ଧି କରିବାକୁ ଘୋଷଣା କରିଛି । ନୂଆ ଦର ଅନୁଯାୟୀ ୧୫୦ ୟୁନିଟ୍ ଉପରେ ବିଦ୍ୟୁତ୍ ଶୁଳ୍କ ୪.୯ ଟଙ୍କାରୁ ବଢ଼ି ୫.୫ ଟଙ୍କା, ୧୫୦ରୁ ୩୦୦ ୟୁନିଟ୍ ଉପରେ ୫.୪ ଟଙ୍କାରୁ ବଢ଼ି ୬ ଟଙ୍କା, ୩୦୧-୫୦୦ ୟୁନିଟ୍ ଉପରେ ୬.୨୦ ଟଙ୍କାରୁ ବଢ଼ି ୬.୫୦ ଟଙ୍କା ଓ ତା’ ଉପରେ ବ୍ୟବହାର ପାଇଁ ୬.୫ ଟଙ୍କାରୁ ୭ ଟଙ୍କାକୁ ବୃଦ୍ଧି କରାଯାଇଛି ।
ଦିଲ୍ଲୀର ରାଜସ୍ୱ କମିଛି, ହେଲେ ବିଜୁଳି ଦର ବଢ଼ାଯାଇନାହିଁ
ନିକଟରେ ମୁଖ୍ୟ ମନ୍ତ୍ରୀ ଅରବିନ୍ଦ କେଜରିୱାଲ କହିଛନ୍ତି ଯେ କରୋନା ଭାଇରସ ଯୋଗୁଁ ଜାରି ହୋଇଥିବା ଲକଡଉନ କାରଣରୁ ଦିଲ୍ଲୀ ସରକାରଙ୍କ ରାଜସ୍ୱ ଗତ ବର୍ଷ ଏପ୍ରିଲର ୩,୫୦୦ କୋଟି ଟଙ୍କାରୁ ଏହି ବର୍ଷ ଏପ୍ରିଲରେ ୩୦୦ କୋଟି ଟଙ୍କାରେ ପହଞ୍ଚିଛି । ରାଜ୍ୟରେ ରାଜସ୍ୱ ସ୍ତର ହ୍ରାସ ପାଇଥିବା ସତ୍ତ୍ୱେ ବିଦ୍ୟୁତ୍ ଦର ବୃଦ୍ଧି ନ କରିବାକୁ ନିଆଯାଇଥିବା ନିଷ୍ପତ୍ତିକୁ ଦିଲ୍ଲୀର ଲୋକେ ସ୍ୱାଗତ କରିଛନ୍ତି । ଏହା ୬୨ ଲକ୍ଷରୁ ଅଧିକ ଗ୍ରାହକଙ୍କୁ ଆରାମ ପ୍ରଦାନ କରିବ ।
ଏହା ବି ପଢ଼ନ୍ତୁ | ସେପ୍ଟେମ୍ବର ୧ରୁ ବଦଳିଯିବ ଏହି ସବୁ ନିୟମ; ଆପଣଙ୍କ ପର୍ସ ଉପରେ ପଡ଼ିପାରେ ପ୍ରଭାବ
ଏହା ବି ପଢ଼ନ୍ତୁ | ଭାରତ-ପାକିସ୍ତାନ ସୀମାରେ BSF ଖୋଜି ପାଇଲା ସୁଡ଼ଙ୍ଗ; ବାଲି ବସ୍ତାରେ ଲେଖାଅଛି ‘କରାଚୀ’
କରୋନା ମହାମାରୀ ଓ ବାରମ୍ବାର ଲକଡାଉନ୍ ଚାଲିଥିବାରୁ ଅନେକ ଲୋକଙ୍କ ଦରମା କମ୍ ହୋଇଛି ଓ ଅନେକ ଲୋକେ ଘରୁ କାମ ଆରମ୍ଭ କରିଛନ୍ତି । ମୁଖ୍ୟ ମନ୍ତ୍ରୀ ଅରବିନ୍ଦ କେଜରିୱାଲ ସର୍ବଦା କହିଛନ୍ତି ଯେ ତାଙ୍କ AAP ସରକାର ହେଉଛି ସାଧାରଣ ଜନତାଙ୍କୁ ସମର୍ଥନ କରୁଥିବା ସରକାର। ସେପ୍ଟେମ୍ବର ୨୦୧୯ରେ ଦିଲ୍ଲୀର ପ୍ରାୟ ୧୪ ଲକ୍ଷ ଗ୍ରାହକଙ୍କୁ ଶୂନ୍ୟ ବିଦ୍ୟୁତ୍ ବିଲ୍ ମିଳିଥିଲା, ଅର୍ଥାତ ସେମାନଙ୍କୁ ଆଦୌ କୌଣସି ଟଙ୍କା ଦେବାକୁ ପଡ଼ି ନ ଥିଲା । ନଭେମ୍ବର-ଡିସେମ୍ବର ୨୦୧୯ରେ ପ୍ରାୟ ୨୬ ଲକ୍ଷ ପରିବାର ଶୂନ୍ଯ ବିଦ୍ୟୁତ୍ ବିଲ୍ ପାଇଥିଲେ ।
ଅନ୍ୟ ରାଜ୍ୟରେ ବିଦ୍ୟୁତ୍ ଦର
ରାଜ୍ୟ ୦-୧୦୦ ୟୁନିଟ୍ ୧୦୧-୨୦୦ ୟୁନିଟ୍
ଗୁଜୁରାଟ ୩.୫ ଟଙ୍କା ୪.୧୫ ଟଙ୍କା
ପଞ୍ଜାବ ୪.୪୯ ଟଙ୍କା ୬.୩୪ ଟଙ୍କା
ଗୋଆ ୧.୫ ଟଙ୍କା ୨.୨୫ ଟଙ୍କା
ଉତ୍ତରାଖଣ୍ଡ ୨.୮୦ ଟଙ୍କା ୩.୭୫ ଟଙ୍କା
ଉତ୍ତର ପ୍ରଦେଶ ୫.୫ ଟଙ୍କା (୦.୧୫୦ ୟୁନିଟ୍) ୬ ଟଙ୍କା (୧୫୧-୨୦୦ ୟୁନିଟ୍)
ଦିଲ୍ଲୀ ୦ ଟଙ୍କା ୦ ଟଙ୍କା
ଦିଲ୍ଲୀରେ ୨୦୧ରୁ ୪୦୦ ୟୁନିଟ୍ ପର୍ଯ୍ୟନ୍ତ ୫୦% ସବସିଡି ବି ମିଳୁଛି ।






